ISSN (Print) - 0012-9976 | ISSN (Online) - 2349-8846

ଧିରେ ଟିକେ ଠେଲିଦେବା

ସୁଯୋଗଗୁଡ଼ିକୁ ଆଗେଇ ନେବାପାଇଁ ଠୋସ ପଦକ୍ଷେପ ନନେବାଟା ‘ସ୍ୱଭାବରେ ପରିବର୍ତ୍ତନ’ଭଳି ଯୁକ୍ତି ନୁହେଁ, ଭାବାବେଗକୁ ନେଇ କାମ କରୁଥିବା ରାଜନେତାଙ୍କର ଚରିତ୍ରଟିଏ ମାତ୍ର

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

୨୦୧୮-୧୯ର ଅର୍ଥନୈତିକ ସର୍ଭେ ସାମାଜିକ, ଅର୍ଥନୈତିକ ଶାସନ କ୍ଷେତ୍ରରେ ଅତି ଖରାପ ପ୍ରଦର୍ଶନ କରିଥିବା ଗୋଟିଏ ସରକାରକୁ, ଭାରି ବହୁମତରେ ପୁଣିଥରେ ନିର୍ବାଚିତ କରାଇ ତାହାର ନିତିଗୁଡ଼ିକୁ ଜାଣିଶୁଣି କେବଳ ଏକ ମାନବିୟ ‘ମୁଖୋଟା’ ପ୍ରଦାନ କରିଛି କି? ସାଧାରଣ ଲୋକଙ୍କୁ ନେଇ ଯେଉଁ ଧାରଣାଟି ରହିଆସିଛି ଯେ, ସେମାନେ ‘ତର୍କଶୀଳ ଜୀବ’  ଅବା ‘ଅର୍ଥନୈତିକ ଜୀବ’ ନୁହନ୍ତି ବରଂ ରକ୍ତ, ମାଂସ ଓ ମୂଢ଼ତାକୁ ନେଇ ଗଢ଼ା ‘ମଣିଷ’ ମାତ୍ର, ଯେଉଁମାନଙ୍କୁ ପ୍ରୋତ୍ସାହନ ମିଳିବା ଦରକାର ଅବା ଟିକିଏ ଆଗକୁ ଠେଲିଦବା ଦ୍ୱାରା ସେମାନେ ଏ ଦେଶର ସାମାଜିକ, ଅର୍ଥନୈତିକ ପରିବର୍ତ୍ତନ କ୍ଷେତ୍ରରେ ସକାରାତ୍ମକ ନିଷ୍ପତ୍ତି ନେଇପାରିବେ; ତାହା ଏକ ନୂଆ ଧାରଣା ନୁହେଁ । ବାସ୍ତବରେ ଗୋଟିଏ ଦଶନ୍ଧି ଧରି ବିଶ୍ୱସାରା ବିଭିନ୍ନ ସରକାରମାନେ ମଣିଷର ସ୍ୱଭାବକୁ ନେଇ ହେଉଥିବା ଅଧ୍ୟୟନଗୁଡ଼ିକରୁ ଯେଉଁ ଅନ୍ତଦୃଷ୍ଟି ପାଇଛନ୍ତି ତାକୁ ନିତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଚେଷ୍ଟା କରିଆସୁଛନ୍ତି । ଏହାର ଅନ୍ତଃର୍ନିହିତ ମୂଳ ଲକ୍ଷ୍ୟ ରହୁଛି ଯେ, କିଭଳି ବିଭିନ୍ନ ରାଷ୍ଟ୍ର ପ୍ରାୟୋଜିତ କାର୍ଯ୍ୟକ୍ରମ/ ଯୋଜନାଗୁଡ଼ିକରେ ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ ଟିକିଏ ଆଗକୁ ଠେଲିଦେବା ଦ୍ୱାରା  ସେମାନଙ୍କର ସ୍ୱଭାବରେ ପରିବର୍ତ୍ତନ ଅଣାଯାଇପାରିବ । ବର୍ତ୍ତମାନର ସରକାର ଯେଉଁ ଦାବୀ କରୁଛନ୍ତି ଯେ, ସେଭଳି ଠେସା ଦେଇ ସେମାନେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ନିଜର ଧ୍ୱଜା ଉଡ଼ାଉଥିବା ଅଭିଯାନଗୁଡ଼ିକ ଯଥା –ସ୍ୱଚ୍ଛ ଭାରତ ମିଶନ (ଏସବିଏମ) ଏବଂ ବେଟି ବଚାଓ, ବେଟି ପଢ଼ାଅ (ବିବିବିପି) ଅଭିଯାନକୁ ବ୍ୟବହାର କରିଛନ୍ତି, ତାହାର କିଛି ସତ୍ୟତା ଏସବୁ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ସ୍ଥାନୀୟ ସମ୍ପ୍ରସାରଣକୁ ନେଇ ଥିବା ପରିସଂଖ୍ୟାନରେ ଦେଖିବାକୁ ମିଳିପାରେ, କିନ୍ତୁ ହିତାଧିକାରୀଙ୍କ କ୍ଷେତ୍ରରେ ପଡ଼ୁଥିବା ପ୍ରଭାବକୁ ନେଇ ଯେଉଁ ତଥ୍ୟ ଆସୁଛି ତାହା ମାତ୍ରାଧିକ ବିବାଦାତ୍ମକ ।

ଉଦାହରଣସ୍ୱରୂପ ୨୦୧୮-୧୯ର ଜାତୀୟ ବାର୍ଷିକ ଗ୍ରାମୀଣ ପରିମଳ ସର୍ବେକ୍ଷଣରେ ଏସବିଏମକୁ ନେଇ ଯେଉଁ ସମୀକ୍ଷା କରାଯାଇଛି ତାହା ସୂଚିତ କରୁଛି ଯେ, ଗ୍ରାମାଞ୍ଚଳର ଶତକଡ଼ା ୯୩%ଭାଗ ପରିବାର ପାଇଖାନାର ସୁବିଧା ପାଇଥିବା ବେଳେ, ଶତକଡ଼ା ୯୬.୫%ଭାଗ ଲୋକ ସେଗୁଡ଼ିକ ବ୍ୟବହାର କରୁଛନ୍ତି, ଯଦ୍ୱାରା କି ଦେଶର ଶତକଡ଼ା ୯୦.୭%ଭାଗ ଗ୍ରାମଗୁଡ଼ିକ ପଦାରେ ପାଇଖାନା ଯିବାରୁ ମୁକ୍ତ ହୋଇଛନ୍ତି । ଆରପଟେ ଦେଖିଲେ ଭାରତର କଣ୍ଟ୍ରୋଲର ଏବଂ ଅଡ଼ିଟର ଜେନେରାଲ ବା ମୁଖ୍ୟ ହିସାବ ନିରିକ୍ଷକ, ନିଜର ୨୦୧୭-୧୮ ରିପୋର୍ଟରେ ବାହାରେ ପାଇଖାନା ଯିବାରୁ ମୁକ୍ତ ଘୋଷଣା କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ରଖାଯାଇଛି ତାହାର ମାପକାଠିଗୁଡ଼ିକର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି । ପ୍ରଶ୍ନଟି ମୁଖ୍ୟତଃ ସରକାରୀ ସାହାଯ୍ୟ ନେଇ ଗଢ଼ାଯାଇଥିବା ପାଇଖାନାଗୁଡ଼ିକ ଉପଲବ୍ଧ ହୋଇପାରିବା ଏବଂ ବ୍ୟବହାର କରିବା କ୍ଷେତ୍ରରେ ସ୍ୱଚ୍ଛ ଭାରତ ମିଶନର ସଫଳତାକୁ ନେଇ ଯେଉଁ ସମୀକ୍ଷା ହୋଇଛି ତାକୁ ନେଇ କରାଯାଇଛି । ବାହ୍ୟ ମଳତ୍ୟାଗ ମୁକ୍ତ ସ୍ଥିତି ଘୋଷଣା କରିବା ପାଇଁ ସ୍ୱଚ୍ଛ ଭାରତ ମିଶନର ଯେଉଁ ନିର୍ଦ୍ଦେଶାବଳୀ ରହିଛି ସେଥିରେ ନିର୍ଦ୍ଧାରଣ କରାଯାଇଛି ଯେ, ଏଭଳି ଘୋଷଣା ସେପରି ସ୍ଥଳରେ କରାଯିବ, ଯେଉଁଠି ମଳର ଦୃଶ୍ୟମାନ ପରିବହନ ହେଉନଥିବ ଏବଂ ଘର ହେଉ ବା ସର୍ବସାଧାରଣ / ଗୋଷ୍ଠୀଭିତ୍ତିକ ଅନୁଷ୍ଠାନମାନଙ୍କ ଦ୍ୱାରା ତାକୁ ପରିତ୍ୟାଗ କରିବା ପାଇଁ ନିରାପଦ ପ୍ରଯୁକ୍ତିବିଦ୍ୟାର ବିକଳ୍ପ ଥିବ । ନିର୍ଦ୍ଦେଶାବଳୀରେ କୌଣସି ଜାଗାରେ ସ୍ପଷ୍ଟ ଭାବେ କୁହାଯାଇ ନାହିଁ ଯେ ବାହାରେ ମଳତ୍ୟାଗ କରିବାର ସ୍ଥିତିରୁ ମୁକ୍ତ ହେବାପାଇଁ ପାଇଖାନାର ବ୍ୟବହାର ଜରୁରୀ ।

ସେହିଭଳି ବେଟି ବଚାଅ, ବେଟି ପଢ଼ାଅ ଅଭିଯାନରେ ମଧ୍ୟ ସମାନ ପ୍ରକାର ତଥ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳୁଛି । ଉଦାହରଣ ସ୍ୱରୂପ ନିକଟରେ ଗଣମାଧ୍ୟମର ଗୋଟିଏ ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାଟିକୁ ଭାଜପା ତରଫରୁ ବେଟି ବଚାଅ, ବେଟି ପଢ଼ାଅ ଅଭିଯାନ ମାଧ୍ୟମରେ ବାଳିକା ଶିକ୍ଷା ଆଗେଇ ନିଆଯାଇଥିବା ଯୋଗୁଁ ସମ୍ମାନିତ କରାଯାଇଛି । ଯଦିଓ ଏଠି ଆଗେଇ ନେବାର ପରିବେଶଟିଏ ତିଆରି କରିବା ପାଇଁ ଯେଉଁ ମୌଳିକ ମାପକାଠିଗୁଡ଼ିକ ଦରକାର ପଡ଼େ ଯଥା – ଶିକ୍ଷାକମାନଙ୍କ ତାଲିମ, ବିଦ୍ୟାଳୟରେ ସ୍ୱଚ୍ଛ ପାଇଖାନା ଏବଂ ସ୍କୁଲକୁ ଯିବାଆସିବା କରିବା ପାଇଁ ପରିବହନ ଇତ୍ୟାଦି କ୍ଷେତ୍ରରେ ପ୍ରଗତି ଅତି ନଗନ୍ୟ । ଅନ୍ୟପଟେ ଦେଖିଲେ ଏହି ଜିଲ୍ଲାର ଶିକ୍ଷା ବିଭାଗଟି ବାଳିକାମାନଙ୍କର ନାମ ଲେଖାଇବା କ୍ଷେତ୍ରରେ ବୃଦ୍ଧି ଘଟିଛି କଥାଟିକୁ ଗୁରୁତ୍ୱ ଆରୋପ କରି କୁହନ୍ତି ଯେ, ସେମାନଙ୍କର ସଂଖ୍ୟାଟି ୨୦୧୬-୧୭ରେ ୫୬,୦୩୮ ଥିବାବେଳେ ୨୦୧୮-୧୯ ବେଳେ ତାହା ୯୫,୪୬୯ରେ ପହଞ୍ôଚଛି । କିନ୍ତୁ ଏହି ସମୟରେ କେତେ ଝିଅ ପାଠ ପଢ଼ା ଛାଡ଼ିଛନ୍ତି ତା’ର କୌଣସି ସୂଚନା ନାହିଁ । ଏମିତିରେ ରାଜସ୍ଥାନରେ ୨୦୧୪ ମସିହାରୁ ସ୍କୁଲ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ବଢ଼ିଚାଲିଛି । ସେତେବେଳର ବିଜେପି ସରକାରଙ୍କ ଗୋଟିଏ ନିଷ୍ପତ୍ତି ଯୋଗୁଁ ସରକାରୀ ସ୍କୁଲମାନଙ୍କ ଭିତରୁ ଏକ ପଞ୍ଚମାଂସ ସ୍କୁଲକୁ ଅନ୍ୟ ସ୍କୁଲମାନଙ୍କ ସହ ମିଶାଇ ଦିଆଯାଇଥିଲା । ସେଥିପାଇଁ ପିଲାମାନଙ୍କର ସ୍କୁଲ ଛାଡ଼ିବା ବଢ଼ିଚାଲିଥିଲା । ଯେଉଁ ମିଶ୍ରଣ ହେଇଥିବା ସ୍କୁଲଗୁଡ଼ିକ ଦୂରରେ ଅବସ୍ଥିତ ସେହି ବିଦ୍ୟାଳୟମାନଙ୍କୁ ନିଜ ଝିଅମାନଙ୍କୁ ପାଠ ପଢ଼ାଇବା ପାଇଁ ପଠାଇବାକୁ ବାପା, ମା’ମାନେ ରାଜି ହେଉ ନଥିଲେ । ଏହା ପଛରେ ଅନେକ ସାଂସ୍କୃତିକ ଓ ସାମାଜିକ କାରଣ ଥିଲା ।

ଏଭଳି ସବୁ ତଥ୍ୟ ହାତରେ ଥିଲାବେଳେ, ଅର୍ଥନୈତିକ ସର୍ବେକ୍ଷଣ ହେଉ ଅବା ସରକାର ଯେଉଁ ତୁହାକୁ ତୁହା ଦାବି କରିଛନ୍ତି ଯେ, ‘ସ୍ୱଭାବରେ ପରିବର୍ତ୍ତନ ଘଟିଛି’ ତାହାର ସତ୍ୟାସତ୍ୟକୁ ନେଇ ଜଣେ ଚକିତ ହେବା ସ୍ୱାଭାବିକ । ଯଦି କୌଣସି ପରିବର୍ତ୍ତନ ହୋଇଛି, ତାହା ହୁଏତ ଏସବୁ କାର୍ଯ୍ୟକ୍ରମଗୁଡ଼ିକର ଉଦ୍ଘାଟନ ବେଳେ ଯେଉଁ ମହୋତ୍ସବ ମନାଯାଏ ଅବା ସେହି କାର୍ଯ୍ୟକ୍ରମର ସଙ୍କେତ ଥାଇ କେକ୍ କଟାଯାଏ ସେଇଥିପାଇଁ ଏକ କୃତ୍ରିମ ଧାରଣାଟିଏ ସୃଷ୍ଟି ହୋଇଥିବା ଯୋଗୁଁ ହୋଇଥାଇପାରେ । ଏହି ମହୋତ୍ସବ ଆୟୋଜନ କଲାବେଳେ କେବଳ କେକ୍ କାଟିବା କଥା ନୁହେଁ ପ୍ରମାଣପତ୍ର ବିତରଣ କରିବା, ପ୍ରତିଯୋଗିତା ଆୟୋଜନ କରିବା, ମୋଟର ସାଇକେଲ ର୍ୟାଲି ବାହାର କରିବା ଇତ୍ୟାଦିକୁ ପ୍ରାଥମିକତା ଦିଆଯାଇଥାଏ, କିନ୍ତୁ ତଳସ୍ତରରେ ବାସ୍ତବ ପରିବର୍ତ୍ତନ ଆଣିବା ପାଇଁ କୌଣସି ଗୁରୁତ୍ୱ ଦିଆଯାଇ ନଥାଏ । ଯଦି କଥାଟି ସେମିତି ତେବେ ଆଗକୁ ଯିବାପାଇଁ କେବଳ ଟିକେ ଠେଲିଦେଇ ସାମାଜିକ ଅର୍ଥନୈତିକ ପରିବର୍ତ୍ତନ ପାଇଁ ଲୋକଙ୍କର ସ୍ୱଭାବକୁ ବଦଳାଇବା, ଏବଂ ରାଜନୈତିକ ବୁଦ୍ଧିମତାକୁ ପ୍ରୟୋଗ କରି ଜନସାଧାରଣଙ୍କର ସ୍ୱଭାବକୁ ଏପଟସେପଟ କରାଇବା ଭିତରେ ଗୋଟିଏ ପ୍ରଭେଦ ରହିଛି । ଉଦାହରଣ ସ୍ୱରୂପ ବେଟି ବଚାଅ, ବେଟି ପଢ଼ାଅ ଯୋଜନା ଅନ୍ତର୍ଗତ ଯଦି ଜଣେ ଛାତ୍ରୀ ବାଇସାଇକେଲଟିଏ ପାଇଥାଏ, ତେବେ ଏହାର ଫାଇଦା ନେବାରୁ ସେ ବଞ୍ôଚତ ହୋଇପାରେ । ବିଭିନ୍ନ ସାମାଜିକ, ସାଂସ୍କୃତିକ ପ୍ରତିବନ୍ଧକ ଯୋଗୁଁ ଝିଅମାନଙ୍କର ଗମନାଗମନ କ୍ଷେତ୍ରରେ ଅତି ସହଜରେ କଟକଣା ଲାଗୁ କରାଯାଇଥାଏ । ଅପରପକ୍ଷେ ବାଇସାଇକେଲଟି ସେହି ପରିବାରର ପୁରୁଷ ସଦସ୍ୟମାନଙ୍କର କାମରେ ଆସିପାରେ ଏବଂ ତଦ୍ୱାରା ପ୍ରଭାବିତ ହୋଇ ସେମାନେ ନିଜର ରାଜନୈତିକ ନିଷ୍ପତ୍ତି ମଧ୍ୟ ନିର୍ଦ୍ଧାରଣ କରିଥାନ୍ତି ।

ଭାରତ ଭଳି ଗୋଟିଏ ଦେଶରେ ଯେଉଁଠି ଗୋଟିଏ ଲୋକର ବ୍ୟବହାରର ପ୍ରଣାଳୀଟି ସାମାଜିକ ଅର୍ଥନୈତିକ ମୂଲ୍ୟଗୁଡ଼ିକ ଭିତରେ ବଳିଷ୍ଠ ହୋଇ ରହିଆସିଛି, ସରକାରୀ ସାହାଯ୍ୟ ଅବା ଟଙ୍କା ସେମାନଙ୍କର ହିସାବ ଖାତାରେ ଜମା କରିବା (ଯେମିତି ପଶ୍ଚିମବଙ୍ଗର କନ୍ୟାଶ୍ରୀ ପ୍ରକଳ୍ପଟି ଚାଲିଛି) ଇତ୍ୟାଦି ବ୍ୟବହାରରେ କୌଣସି ମୌଳିକ ପରିବର୍ତ୍ତନ ଆଣିବାର ସାମାନ୍ୟ ତମ ସମ୍ଭାବନା ରଖି ନଥାଏ । ଅନ୍ୟପଟେ ଦେଖିଲେ ଏହିଭଳି ପ୍ରୋତ୍ସାହନ ଦ୍ୱାରା ଜନସାଧାରଣଙ୍କର ଚରିତ୍ରଟି ଦୂଷିତ ହୋଇପାରେ ଯେହେତୁ ସାହାଯ୍ୟଗୁଡ଼ିକୁ ନେବାପାଇଁ ସେମାନେ କିଛି ସ୍ୱଭାବର ପରିବର୍ତ୍ତନ ଘଟିଛି ଧାରଣାଟିଏ ସୃଷ୍ଟି କରିପାରନ୍ତି, ଯଦିଓ ନିଜର ଅସଲ ସ୍ୱଭାବଟି ଯେମିତି ଅଛି ସେମିତି ରହିଥାଏ ।

ଯେଉଁସବୁ ବ୍ୟବସ୍ଥାଗୁଡ଼ିକରେ ସୀମିତ ସମ୍ବଳ, ସୁଯୋଗ ଏବଂ ଦକ୍ଷତା ରହିଥାଏ ସେଠି ଜଣେ ‘ଅର୍ଥନୈତିକ ଜୀବ’ ଠାରୁ ‘ମଣିଷଟି’କୁ ପୃଥକ୍ କରି ଦେଖିବା କଷ୍ଟକର । ଏଇଥିପାଇଁ କି ଯେ ଏହିଭଳି ପରିସ୍ଥିତିଗୁଡ଼ିକ ସମୂହ କଲ୍ୟାଣର ମୂଲ୍ୟଟିକୁ ବଳି ଦେଇ ନିଜର ସ୍ୱାର୍ଥକୁ ଅଧିକ ବଢ଼ାଇବାରେ ନିଜର ମୂଢ଼ତାକୁ ପ୍ରଦର୍ଶିତ କରିଥାଏ । ତଳସ୍ତରରେ ଥିବା ବସ୍ତୁ ସ୍ଥିତିଗୁଡ଼ିକର କୌଣସି ବ୍ୟବସ୍ଥିତ ସମୀକ୍ଷା ନକରି ଏବଂ ଅବା ଶାସନରେ ଥିବା ସରକାରଙ୍କ ଦ୍ୱାରା ଅର୍ଥନୈତିକ ସୁଯୋଗ, ଅଧିକାର ଓ ଦକ୍ଷତାଗୁଡ଼ିକର ସମ୍ପ୍ରସାରଣ ପାଇଁ କୌଣସି ଉଦ୍ୟମର ସ୍ପଷ୍ଟ ଚିଠା ପ୍ରସ୍ତୁତ ନକରି ଯେଉଁ ଦାବୀ କରାଯାଉଛି ଯେ, ‘ଅର୍ଥନୈତିକ ଜୀବ’ଟିକୁ ମଣିଷ ହିସାବରେ ଉପସ୍ଥାପିତ କରିବା ପାଇଁ ନିତିର ଢାଞ୍ଚା ଭିତରେ ପରିବର୍ତ୍ତନ ଅଣାଯାଇଛି, ତାହା କେବଳ ଯୁକ୍ତି ନୁହେଁ ବରଂ ଭାବାବେଗ ସହିତ ନିଷ୍ପତ୍ତି ନେଉଥିବା ଏକ ରାଜନୈତିକ ନେତୃତ୍ୱର ଉଦାହରଣ ମାତ୍ର । ଫଳକ ପରିବର୍ତ୍ତନ କରିବା ବା ଶବ୍ଦକୋଷର ଅଦରକାରୀ ପ୍ରୟୋଗ କରି ସରକାର ଯେଉଁ ରାଜନୀତି ଖେଳୁଛନ୍ତି ତଦ୍ୱାରା କେତେଦିନ ନିଜର ନିଷ୍କ୍ରିୟତାକୁ ସେ ଲୁଚାଇ ରଖିପାରିବେ?  

Back to Top