ISSN (Print) - 0012-9976 | ISSN (Online) - 2349-8846

ଆଉ ଗୋଟିଏ “ଆନୁଷ୍ଠାନିକ ହତ୍ୟା”

ଉଚ୍ଚଶିକ୍ଷା କ୍ଷେତ୍ରରେ ଯେଉଁ ସାମାଜିକ ଭେଦଭାବ ଚାଲିଛି ତାହାର ଆନୁଷ୍ଠାନିକ ଅବହେଳାର ପରିଣାମ ହେଉଛି ପାୟଲ ତାଡ଼ଭିଙ୍କର ମୃତ୍ୟୁ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ମୁମ୍ବାଇର ବି.ୱାଇ.ଏଲ୍. ନାୟାର ହସ୍ପିଟାଲରେ ୨୬ବର୍ଷିୟ ଆବାସିକ ଡାକ୍ତର ପାୟଲ ତାଡ଼ଭିଙ୍କର ମୃତ୍ୟୁ ଭେଷଜ ମହାବିଦ୍ୟାଳୟମାନଙ୍କରେ ଅନୁସୂଚିତ ଜାତି ଏବଂ ଉପଜାତିର ପିଲାମାନଙ୍କ ବିରୋଧରେ ଜାତିବାଦ ଏବଂ ଭେଦଭାବର ଯେଉଁ ଘୃଣ୍ୟ ଚରିତ୍ରଟି ରହିଆସିଛି ତାକୁ ପୁଣିଥରେ ଉନ୍ମୋଚିତ କରିଛି । ତାଡ଼ଭି ହେଉଛନ୍ତି ଭିଲ୍ ମୁସ୍ଲିମ୍ ସମୁଦାୟର ଜଣେ ସଦସ୍ୟା ଯାହାକୁ ଆଦିବାସୀର ସ୍ୱୀକୃତି ମିଳିଛି । ଯାହା ଜଣାପଡ଼ିଛି ଯେ ଏହି ହସ୍ପିଟାଲ ସହିତ ଜଡ଼ିତ ଟୋପିବାଲା ନ୍ୟାସନାଲ ମେଡ଼ିକାଲ କଲେଜର (ଟିଏନ୍ଏମ୍) ତିନିଜଣ ବରିଷ୍ଠ ଆବାସିକ ଡାକ୍ତରମାନଙ୍କ ଦ୍ୱାରା ସେ ନିର୍ଯାତନା ପାଇଆସୁଥିଲେ । ଏହାର ପରିଣାମ ସ୍ୱରୂପ ସେ ଆତ୍ମହତ୍ୟା କରିଥିଲେ । ଏହି ନିର୍ଯାତନା ସମ୍ପର୍କରେ ତାଡ଼ଭିଙ୍କ ପରିବାର କଲେଜ ପ୍ରଶାସନକୁ ଆନୁଷ୍ଠାନିକ ଅଭିଯୋଗ କରିଆସିଥିଲେ ଯେ, ତାଡ଼ଭି ଜାତିବାଦକୁ ନେଇ ଟାହିଟାପରା ଓ ନିର୍ଯାତନା ଭୋଗୁଛନ୍ତି କିନ୍ତୁ ତାହାର କୌଣସି ଫଳ ମିଳି ନଥିଲା । 

କେବଳ ତାଡ଼ଭିଙ୍କର ମୃତ୍ୟୁ ପରେ ହିଁ ଆନୁଷ୍ଠାନିକ କଳଟି ସକ୍ରୀୟ ହେବା ଆରମ୍ଭ କଲା । ତିନିଜଣ ଡାକ୍ତର ଓ ତାଡ଼ଭିଙ୍କ ୟୁନିଟ୍ର ମୁଖ୍ୟଙ୍କୁ ନିଲମ୍ବିତ କରାଗଲା ଏବଂ ର‌୍ୟାଙ୍ଗି ବିରୋଧୀ କମିଟି ନିଜର ଅନୁସନ୍ଧାନ ଆରମ୍ଭ କଲା । ତାଙ୍କ ମୃତ୍ୟୁର ଗୋଟିଏ ସପ୍ତାହ ପରେ ଏହି କମିଟିଙ୍କୁ ତଥ୍ୟ ମିଳିଲା ଯେ ତାଙ୍କୁ ପ୍ରକୃତରେ ‘ଚରମ ନିର୍ଯାତନା’ ଦିଆଯାଇଥିଲା ଏବଂ ଗୋଟିଏ ଆଦିବାସୀ ସମୁଦାୟରୁ ଆସିଥିବା ଯୋଗୁଁ ତାଙ୍କୁ ଭେଦଭାବ ଓ ଟାହି ଟାପରା କରାଯାଉଥିଲା । ଏସ୍.ସି.-ଏସ୍.ଟି କୋଟା ବ୍ୟବହାର କରି ସେ କଲେଜରେ ପ୍ରବେଶ କରିଥିବା ଦୃଷ୍ଟିରୁ ତାଙ୍କ ପ୍ରତି ଏଭଳି ନିର୍ଯାତନା ଦିଆଯାଉଥିଲା । ତାଙ୍କର ମୃତ୍ୟୁ ପରେ ଏସ୍.ସି-ଏସ୍.ଟି ସମୁଦାୟର ଡାକ୍ତରମାନେ ଆଗେଇ ଆସିଛନ୍ତି ଯେଉଁମାନେ ମେଡ଼ିକାଲ କଲେଜରେ ଥିଲାବେଳେ ଜାତିଭେଦକୁ ନେଇ ଯେଉଁ ନିର୍ଯାତନା ଭୋଗିଥିଲେ ତାହା ବଖାଣିଛନ୍ତି ।

ଏହିସବୁ ପରିସ୍ଥିତିର ସାମ୍ନାରେ ଭାରତୀୟ ଡାକ୍ତରୀ ସଂଘର ପ୍ରତିନିଧି ମାନେ ଏମିତି ଏକ ମତ ପୋଷଣ କଲାଭଳି ଜଣାଯାଉଛି ଯେ ଡାକ୍ତରୀ କ୍ଷେତ୍ରରେ କୌଣସି ଜାତିଭିତ୍ତିକ ଭେଦଭାବ ନାହିଁ ଅବା ସେହିଭଳି ଧରଣର ଭେଦଭାବ ନାହିଁ ଯାହା ସେମାନଙ୍କର ଧ୍ୟାନ ଆକର୍ଷଣ କରିବାକଥା। ପ୍ରକୃତରେ ଜାତିଭିତ୍ତିକ ଭେଦଭାବ ଏବଂ ଉଚ୍ଚଜାତିର ଛାତ୍ର ଏବଂ ଅଧ୍ୟାପକମାନଙ୍କ ଦ୍ୱାରା ବିରୋଧ ଉଚ୍ଚ ଚାପର ପରିବେଶରେ କାମ କରୁଥିବା ଡାକ୍ତରୀ କଲେଜମାନଙ୍କରେ ଏକ ସାଧାରଣ କଥା ଏବଂ ଆମ ଦେଶର ଅନ୍ୟାନ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ମଧ୍ୟ ଏକା ସ୍ଥିତି ଲାଗି ରହିଛି। ୨୦୦୭ର ଥୋରାଟ କମିଟି ଦର୍ଶାଇଛି ଯେ, ଅଖିଳ ଭାରତୀୟ ଆୟୁ ବିଜ୍ଞାନ ସଂସ୍ଥାରେ କେମିତି ଜାତିଭିତ୍ତିକ ଭେଦଭାବ ପ୍ରବଳ ମାତ୍ରାରେ ଓ ବିବିଧ ରୂପରେ ରହିଛି । ଏମସ୍ ହେଉଛି ଏ ଦେଶର ସବୁଠାରୁ ପ୍ରମୁଖ ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ । ଏ ରିପୋର୍ଟ ଆସିବାର ୧୦ବର୍ଷ ବିତିଗଲାଣି ଏବଂ ତାଡ଼ଭିଙ୍କ ମାମଲାଟି କେବଳ ଏହି କଥାଟି ହିଁ ସୂଚାଉଛି ଯେ ଆମେ ଏ ଯାଏଁ ସେଥିରୁ କିଛି ଶିକ୍ଷା ପାଇନାହାନ୍ତି ଓ ଜାତିଭିତ୍ତିକ ଭେଦଭାବର ଅଭ୍ୟାସ ଆମ ଉଚ୍ଚତର ଶିକ୍ଷାନୁଷ୍ଠାନମାନଙ୍କରେ ଚାଲିଥିବା ବେଳେ ତାକୁ ଆନୁଷ୍ଠାନିକ ଭାବେ ଅବହେଳା କରାଯାଇଆସିଛି ।

ଏହି ଆନୁଷ୍ଠାନିକ ଅନୁକମ୍ପାବିହୀନ ଆଚରଣର ଅନ୍ୟ ଦିଗଟି ଆମେ ଦେଖିବାକୁ ପାଇବା ସେହିସବୁ ଅନୁଷ୍ଠାନମାନଙ୍କରେ କାର୍ଯ୍ୟକାରିତା ଏବଂ କ୍ଷମତା କେନ୍ଦ୍ରୀତ ହେଉଥିବା ଢାଞ୍ଚା ଉପରେ ଯଦ୍ୱାରା କି ବରିଷ୍ଠ ଛାତ୍ରମାନେ ରାଗିଙ୍ଗ ଭଳି ରାସ୍ତାକୁ ଆପଣେଇବା ପାଇଁ ସୁଯୋଗ ଓ ପ୍ରେରଣା ପାଇଥାନ୍ତି । ଛାତ୍ରମାନଙ୍କୁ ବା କନିଷ୍ଠମାନଙ୍କୁ ନିର୍ଯାତନା ଦେବାର ଏକ ସମ୍ଭାବନାଟିଏ ଥାଇପାରେ ଏକଥା ଚିନ୍ତା ବି କରାଯାଇ ନଥାଏ ଏବଂ ଯଦି ବି ହୁଏ ଏହି ଅନୁଷ୍ଠାନମାନଙ୍କରେ କୌଣସି ଦଣ୍ଡବିଧାନ କରାଯାଇ ନଥାଏ । ଏଥିରୁ ଆମକୁ ସୂଚନା ମିଳୁଛି ଯେ କେମିତି ଏସବୁ ଅନୁଷ୍ଠାନମାନଙ୍କରେ ଥିବା କ୍ଷମତାର ଢାଞ୍ଚାଗୁଡ଼ିକ ମଣିଷର ଏଭଳି କଦର୍ଯ୍ୟ ବ୍ୟବହାର ପାଇଁ ବାତାବରଣ ସୃଷ୍ଟି କରିଥାନ୍ତି ଏବଂ ସେହି ବାତାବରଣଟିକୁ ବଳବତ୍ତର ରଖିଥାନ୍ତି । ୨୦୧୩ରୁ ୨୦୧୭ ମସିହା ମଧ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଛାତ୍ରମାନଙ୍କ ଦ୍ୱାରା ନିର୍ଯାତନା ଦିଆଯାଉଥିବାରୁ ୩୦୨୨ଟି ମାମଲାର ଅଭିଯୋଗ ପାଇଥିଲେ । ପୁନଶ୍ଚ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ଘଟୁଥିବା ବା ଅଭିଯୋଗ ହେଉ ନଥିବା ଅନେକ ମାମଲା ଥାଇପାରେ । ଏ କଥାଟି ମଧ୍ୟ ୟୁଜିସି ରିପୋର୍ଟରୁ ଜଣାପଡ଼ିଛି ଯେ, ବିଭିନ୍ନ କାରଣ ଯୋଗୁଁ ବିଶେଷ କରି କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଆସ୍ଥା ନଥିବା ଯୋଗୁଁ ପ୍ରାୟ ୮୪.୩ପ୍ରତିଶତ ଛାତ୍ର ନିର୍ଯାତନା ସମ୍ପର୍କରେ ଲିଖିତ ଅଭିଯୋଗ କରି ନଥାନ୍ତି । ସେମାନଙ୍କର ଭୟ ଥାଏ ଯେ, ସେମାନଙ୍କ ପାଠପଢ଼ାର ଭବିଷ୍ୟତ ପ୍ରତି କ୍ଷତି ପହଞ୍ôଚବ, କ୍ୟାମ୍ପସରେ ବାସନ୍ଦ ଜୀବନ ବିତାଇବାକୁ ହେବ ବା ବରିଷ୍ଠମାନଙ୍କ ଦ୍ୱାରା ମାଡ଼ ଖାଇବେ ଯଦି ଉଚ୍ଚ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ।

ପୁଣି ସେମାନେ କୌଣସି ଆଦିବାସୀ ବା ହରିଜନ ସମୁଦାୟର ଲୋକ ଓ ସଂରକ୍ଷଣ ମାଧ୍ୟମରେ ନାମ ଲେଖାଇଛନ୍ତି, ଏହି କଥାଟି ହିଁ ପ୍ରଥମରୁ ଅଭିଯୋଗ କରିବା ପାଇଁ ନିବୃତ୍ତ କରାଏ ଯେହେତୁ ସେମାନେ ଉଚ୍ଚଜାତିର ଛାତ୍ର ଓ ଅଧ୍ୟାପକମାନଙ୍କ ପାଖରୁ ପ୍ରତିରୋଧ ଆଶଙ୍କା କରନ୍ତି । ତାଡ଼ଭି ଏବଂ ତାଙ୍କର ପିତାମାତା ବହୁବାର କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସତ୍ତେ୍ୱ ସେଭଳି ଅଭିଯୋଗ ପାଇଛନ୍ତି ବୋଲି ସେମାନେ ସ୍ୱୀକାର କରିନଥିଲେ, କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା । ଏହିକଥା ମଧ୍ୟ ଜଣାପଡ଼ିଛି ଯେ, ଟିଏନ୍ଏମ୍ କଲେଜର ର‌୍ୟାଙ୍ଗି ବିରୋଧୀ କମଟି ଗତ ଦେଢ଼ବର୍ଷ ଭିତରେ ଥରୁଟିଏ ବସିନାହିଁ । ପୁଣି ଯାହା ତାଙ୍କ ପରିବାର ସୂତ୍ରରୁ ଜଣାଯାଏ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲା ପରେ ତାଡ଼ଭିଙ୍କ ନିର୍ଯାତନା ବଢ଼ିଯାଇଥିଲା । ଏହି ଅନୁଷ୍ଠାନଗୁଡ଼ିକ ଦ୍ୱାରା ଅଭିଯୋଗକୁ ଗୁରୁତ୍ୱର ସହ ନନେବା ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ଦ୍ୱାରା ଏସ୍.ସି ଓ ଏସ୍.ଟି ସମୁଦାୟର ଛାତ୍ରମାନେ ଘଟଣା ଘଟିଲେ ପୁନର୍ବାର କର୍ତ୍ତୃପକ୍ଷଙ୍କ ପାଖକୁ ଯିବାପାଇଁ ଇଚ୍ଛା ପ୍ରକାଶ କରିନଥାନ୍ତି । ତା’ ପରିବର୍ତ୍ତେ ଅନେକ ସବୁକଥାକୁ ନିରବରେ ସହିବା ପାଇଁ ଅବା ପାଠ ଛାଡ଼ିଦେବା ପାଇଁ ପସନ୍ଦ କରିଥାନ୍ତି ଏବଂ ସେଭଳି ଚରମ ପରିସ୍ଥିତିରେ ଆତ୍ମହତ୍ୟାର ପଥ ବି ବାଛିଥାନ୍ତି । ଏହାଦ୍ୱାରା ଉଚ୍ଚଶିକ୍ଷାରେ ଏସ୍.ସି.-ଏସ୍.ଟି. ସମୁଦାୟର ଯେଉଁ ଅତି ଗୌଣ ପ୍ରତିନିଧିତ୍ୱ ରହିଛି ତାହା ଅଧିକ ବିପନ୍ନ ହୋଇଯାଏ । କଲେଜ ପ୍ରଶାସନ ଏବଂ ଶିକ୍ଷକମାନଙ୍କ କ୍ଷେତ୍ରରେ ଏସ୍.ସି.-ଏସ୍.ଟି ସମୁଦାୟମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱର ଅନୁପସ୍ଥିତି ଅବା ଜାତିଭିତ୍ତିକ ଭେଦଭାବକୁ ନେଇ ସେମାନଙ୍କର ସମ୍ବେଦନଶୀଳ ବୁଝାମଣାର ଅଭାବ ହେତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେଉଥିବା ଯୋଗୁଁ ତାଡ଼ଭିଙ୍କ କାହାଣୀର ପୁନରାବୃତ୍ତି ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳୁଛି ।

ଏଠି ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଗବେଷଣା କରୁଥିବା ଦଳିତ ଛାତ୍ର ରୋହିତ ଭେମୁଲାଙ୍କର ମୃତ୍ୟୁ କଥା ମନେ ପଡ଼ିଯାଏ, ଯାହାଙ୍କର ଆତ୍ମହତ୍ୟାକୁ ଏକ ‘ଆନୁଷ୍ଠାନିକ ହତ୍ୟା’ ବୋଲି ବର୍ଣ୍ଣନା କରାଯାଇଥିଲା । ତାଙ୍କର ମୃତ୍ୟୁ ଏବଂ ତା’ ପରବର୍ତ୍ତୀ ଘଟଣାକ୍ରମଗୁଡ଼ିକ ‘ରୋହିତ ଆଇନ’ ନାମରେ ଏକ ବିଧେୟକ ଆଣିବା ପାଇଁ ଦାବୀ ଉତ୍ଥାପନ କରିଥିଲା । ଏହି ଆଇନର ଉଦ୍ଦେଶ୍ୟ ରହିଥାନ୍ତା ଅବହେଳିତ ସମୁଦାୟର ଛାତ୍ରମାନଙ୍କୁ ଯେମିତି ସୁରକ୍ଷା ଯୋଗାଇ ଦିଆଯାଇପାରିବ । କିନ୍ତୁ ଏଭଳି ବିଧେୟକ ଫଳପ୍ରଦ ହେବ ଯଦି ଅନୁଷ୍ଠାନଗୁଡ଼ିକ ଏବଂ ସେଥିରେ ଥିବା ଲୋକମାନେ ଏକଥା ହୃଦୟଙ୍ଗମ କରନ୍ତି ଏବଂ ସ୍ୱୀକାର କରନ୍ତି ଯେ ସାମାଜିକ ଭେଦଭାବ ଭୟଙ୍କର ଭାବେ ବଢ଼ିଛି । ଏଥିରେ ସ୍ପଷ୍ଟ ହେଉ ନଥିବା ର‌୍ୟାଙ୍ଗି ଘଟଣାଗୁଡ଼ିକ ଠାରୁ ଆରମ୍ଭ କରି ଚରମ ନିର୍ଯାତନା ଯାଏଁ ଘଟି ଚାଲିଥିବା ଭେଦଭାବର ଆଚରଣଗୁଡ଼ିକୁ ପ୍ରକୃତ ପକ୍ଷେ ହିଂସା ହିଁ କୁହାଯାଇପାରିବ । ଏଭଳି ଏକ ହିଂସା ଜଣେ ମଣିଷର ଅଧିକାରକୁ କୁଠାରଘାତ କରିଥାଏ ଏବଂ ତାକୁ ସମ୍ମାନର ସହ ବଞ୍ôଚବା ଓ ଶିକ୍ଷା ଆହରଣ କରିବାରୁ ବଂଚିତ କରିଥାଏ । ଏଭଳି ସ୍ଥିତିକୁ ସ୍ୱୀକାର କରିବା ଦ୍ୱାରା ହିଁ ଆମେ ତାଡ଼ଭି, ଭେମୁଲା ଏବଂ ନିରବରେ ଷଢ଼ୁଥିବା ହଜାର ହଜାର ଛାତ୍ରମାନଙ୍କ ପାଇଁ ନ୍ୟାୟ ଆଣିବା ଦିଗରେ ଆଗେଇପାରିବା ।

Back to Top