ISSN (Print) - 0012-9976 | ISSN (Online) - 2349-8846

ଗଣତନ୍ତ୍ର ବିରୋଧରେ ଯୁଦ୍ଧଖୋରିତା

ଶାସକ ଦଳ ଏବଂ ସରକାର ରାଷ୍ଟ୍ରକୁ ଏକ ଯୁଦ୍ଧ କରା ମେସିନରେ ପରିଣତ କରି ଦେଉଛନ୍ତି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପରେ ସରକାରଙ୍କ ଆଚରଣ ଏବଂ ଭାରତୀୟ ବାୟୁ ସେନାର ସୀମା ପାର ଆକ୍ରମଣ ନୈତିକ ଦୃଷ୍ଟିରୁ ଯେପରି  ଦାୟୀତ୍ୱହୀନ କାର୍ଯ୍ୟ  ଗଣତାନ୍ତ୍ରିକ ନିୟମଗୁଡିକ ଦୃଷ୍ଟିରୁ ସେହିପରି ପରସ୍ପର ବିରୋଧୀ । ଭାରତ ଓ ପାକିସ୍ଥାନ ମଧ୍ୟରେ ଥିବା ସଂଘର୍ଷର ସମ୍ଭାବନା  ଯେତେବେଳେ ଅଧିକରୁ ଅଧିକ ହେବାରେ ଲାଗିଛି ସେତେବେଳେ ପ୍ରଧାନମନ୍ତ୍ରୀ ବା ତାଙ୍କ ସରକାରର କେହି ଦେଶର ନାଗରିକଙ୍କୁ ବିଶ୍ୱାସକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଆଗେଇ ଆସି ନାହାନ୍ତି । ଯେତେବେଳେ ଭାରତୀୟ ବାୟୁ ସେନାର (ଆଇଏଏଫ)ର ଜଣେ ପାଇଲଟ ପାକିସ୍ଥାନ ସେନାର କବ୍ଚାରେ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ସେମାନଙ୍କର ଦଳଗତ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତଥିଲେ । ଦେଶର ନାଗରିକମାନଙ୍କୁ ସବୁକଥା ସ୍ୱଚ୍ଛତାର ସହିତ ସ୍ପଷ୍ଟ ରୂପରେ ବୁଝାଇବା ପରିବର୍ତ୍ତେ ସରକାର ନିଜର ପାଳିତ ଗଣମାଧ୍ୟମ ଜରିଆରେ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଯାଞ୍ଚ ପରଖ କରାଯାଇ ନଥିବା ପରସ୍ପର ବିରୋଧୀ ସମ୍ବାଦମାନ  ପ୍ରକାଶ କରିବାରେ ଲାଗିଥିଲେ । ସଂଘର୍ଷ ଓ ସଂକଟ ସମୟରେ ଦେଶବାସୀଙ୍କୁ ବାସ୍ତବ ତଥ୍ୟ ଆଧାରରେ ନିଜର ମତବ୍ୟକ୍ତ କରିବା ପାଇଁ ସ୍ୱଚ୍ଛତାର ସହିତ ସମସ୍ତ ତଥ୍ୟ ଜାଣିବାର  ଆବଶ୍ୟକତା ରହିଛି । ଯା ଫଳରେ ଦେଶରେ ଏକ ଯୁକ୍ତିଯୁକ୍ତ ଜନମତ ତିଆରି ହୋଇ ପାରିବ । କିନ୍ତୁ ଲାଗୁଛି ଦେଶବାସୀ ସବୁକଥା ଜାଣି କୌଣସି ଏକ ଉପସଂହାରରେ ଉପନୀତ ହୁଅନ୍ତୁ ଏହା ଏ ସରକାରର ଇଚ୍ଛା ନୁହେଁ  । ବରଂ ତ୍ୱରିତ ବେଗରେ ନିର୍ବାଚନୀ ଫାଇଦା ହାସଲ ପାଇଁ ସରକାର ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିବାକୁ ଚାହାନ୍ତି । ସରକାର ତାଙ୍କର ପ୍ରତିରକ୍ଷା ଓ ରଣନୀତି, ଆକ୍ରମଣ  ବା ଯୁଦ୍ଧସମ୍ବନ୍ଧୀୟ କୌଣସି କଥା ସ୍ପଷ୍ଟ ଭାବରେ ଲୋକଙ୍କ ପାଖରେ ନ ପହୁଂଚାଇ ନିଜକୁ ବାହୁବଳୀ ଭାବେ ପ୍ରଦର୍ଶନ କରିବାକୁ ପୁଲୱାମା ଘଟଣାକୁ ଏକ ସୁଯୋଗ ମନେ କରି ତା’ର ସଦବ୍ୟବହାର କରିଥିଲେ । ଏପରିକି ଏତେ ଘନଘଟା ମଧ୍ୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ  ଦେଶବାସୀଙ୍କୁ କେବଳ ଗୋଟିଏ ଛୋଟିଆ ଟ୍ୱିଟ କରି କହିଥିଲେ ଯେ ଭାରତୀୟ ବାୟୁ ସେନାର ସୈନିକଙ୍କୁ ମୁକ୍ତ କରି ଦିଆଯାଇଛି । ବାସ୍, ସେତିକି  । ଆଉ କିଛି ନାହିଁ ।

ଯଦିଓ ସରକାର ସଂକଟ ସମୟରେ ଇଚ୍ଛାକରି ସମସ୍ତ ଦେଶବାସୀଙ୍କୁ ରାଜନୈତିକ ନେତୃତ୍ୱ ଦେବାର  ନିଜର ଦାୟିତ୍ୱବୋଧକୁ ପୁରାପୁରି ଅଣଦେଖା କରିଦେଲେ ଶାସକ ଦଳ ବାୟୁ ସେନାର ଆକ୍ରମଣକୁ ଏହାର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କଲା । ଶାସକ ଦଳର ନେତାମାନେ ବେଲଜ୍ଜାଙ୍କ ପରି ବିଭିନ୍ନ ସଂସ୍ଥା ଓ ପାଳିତ ଗଣମାଧ୍ୟମ ଜରିଆରେ ବାୟୁ ସେନାର ଆକ୍ରମଣକୁ ନିଜ ଦଳର ପରାକ୍ରମ ବା ସଫଳତା ଭାବରେ ଚିତ୍ରଣ କଲେ । ୨୦୧୬ରେ ହୋଇଥିବା ସର୍ଜିକାଲଷ୍ଟ୍ରାଇକ ପରି ଶାସକ ଦଳର ନେତାମାନେ କହୁଛନ୍ତି ଯେ ପାକିସ୍ଥାନ ପ୍ରାୟୋଜିତ  ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରତିଶୋଧ ନେବାରେ ଏହି ସରକାର ହେଉଛି ପ୍ରଥମ । ଶାସକ ଦଳ ହିଁ ଜାତୀୟ ସୁରକ୍ଷାର ଏକମାତ୍ର ତତ୍ତ୍ୱାବଧାରକ ବୋଲି ଦେଖାଇବାକୁ ଯାଇ ଶାସକ ଦଳର ନେତାମାନେ  ଲୋକଙ୍କୁ ଦେଖାଇବାକୁ ଚାହିଁଥିଲେ ଯେ ବାୟୁସେନାର ଆକ୍ରମଣରେ ଶହ ଶହ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ଯଦିଓ ବାୟୁସେନା ପକ୍ଷରୁ କୁହାଗଲା ଯେ ଏଥିରେ ପ୍ରକୃତରେ କେତେ ଲୋକ ମରିଛନ୍ତି ସେମାନେ ତାର ଗଣତି କରି ନାହାନ୍ତି । ଗଣତି କରିବା କାମ ସରକାରଙ୍କର, ତାଙ୍କର ନୁହେଁ । ଏହି ଅସାମଞ୍ଜସ୍ୟତା ଯୋଗୁଁ  ମୃତ ଆତଙ୍କବାଦୀଙ୍କ ସଂଖ୍ୟା, ଯାହାକି ବିଭିନ୍ନ ଗଣମାଧ୍ୟମରେ ଯାଂଚ କରାଯାଇ ନଥିବା ତଥ୍ୟକୁ ନେଇ ପ୍ରକାଶିତ ହେବାରେ ଲାଗିଛି,ତାହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏହି ତଥ୍ୟକୁ ଜାଣିଶୁଣି ଗୋଳମାଳିଆ  କରାଯିବା ଏବଂ  ଶାସକ ଦଳର ଯୁଦ୍ଧଖୋର ଜାତୀୟତାବାଦୀ ମନୋବୃତ୍ତି ମଧ୍ୟରେ ଯେ କେଉଁଠି ନା କେଉଁଠି ଏକ ସଂଯୋଗ ରହିଛି ତାହା ପୁଣିଥରେ ପ୍ରମାଣିତ ହୋଇଛି । ଏଭଳି ଦାବୀ କେବଳ ଜାତୀୟ ଗର୍ବ ଓ ବିଜୟର ଏକ ରାଜନୈତିକ ବର୍ଣ୍ଣନା ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ ଯାହାକି ଭଦ୍ର ସମାଜର କୌଣସି ଗୋଟିଏ ଅଂଶର  ସାମରିକ ସଚେତନତାକୁ ହିଁ ପୁଷ୍ଟ କରିଥାଏ । ଯୁଦ୍ଧ ରଣନୀତିର ବାସ୍ତବିକତାକୁ ନବୁଝି କେବଳ ସଂଘର୍ଷକାମୀ ମାନସିକତାକୁ ତୁଷ୍ଟ କରିବାପାଇଁ ମୃତକମାନଙ୍କ ସଂଖ୍ୟାକୁ ନେଇ ଗର୍ବ କଲେ ଏଥିରୁ କୌଣସି ସୁଫଳ ମିଳିବା ଅସମ୍ଭବ । ଏହା କେବଳ ଦେଶର ବୈଦେଶିକ ଓ ପ୍ରତିରକ୍ଷା ନୀତିର ଏକ ନିର୍ବୋଧ ବୁଝାମଣାକୁ ପ୍ରଦର୍ଶିତ କରୁନାହିଁ, ବରଂ ଦେଶ ଭିତରର ରାଜନୀତିରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଅସ୍ତ୍ର ରୂପେ ବ୍ୟବହାର କରିବାର ଉଦ୍ୟମକୁ ବୈଧତାର ରୂପ ପ୍ରଦାନ କରୁଛି । ଏହି ସରକାରର  ମୂଳ କଥା ହେଉଛି ଭୋଟ ରାଜନୀତିରେ ସଫଳ ହେବା  । ସେଥିପାଇଁ ଜାତୀୟ ସ୍ୱାର୍ଥକୁ ପଛକୁ ରଖି ଏହାର ସାମରିକ କାର୍ଯ୍ୟକ୍ରମର ଫଳାଫଳ ଉପରେ କୌଣସି ଆଲୋଚନା ପାଇଁ ମଧ୍ୟ ଏ ସରକାର ପ୍ରସ୍ତୁତ ନୁହେଁ । ଉଦାହରଣ ସ୍ୱରୂପ ବାଲାକୋଟରେ ହୋଇଥିବା ବାୟୁ ସେନା କାର୍ଯ୍ୟାନୁଷ୍ଠାନରେ କେତେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ସେ ବିଷୟରେ କୌଣସି ମଂଚରେ  ସଠିକ ତଥ୍ୟ ଦେବାକୁ ସରକାର ରାଜି ହେଲେ ନାହିଁ । ଓଲଟା ନିଜର ଗଣତାନ୍ତ୍ରିକ ଦାୟିତ୍ୱବୋଧକୁ ଭୁଲି ଶାସକ ଦଳ ପକ୍ଷରୁ ବିଭିନ୍ନ  ମଂଚରେ ଅଭିଯୋଗ କରାଗଲା ଯେ ବିରୋଧୀମାନେ ସେନାବାହିନୀର ସାମର୍ଥ୍ୟକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି । ଗଣତନ୍ତ୍ରରେ ସୈନ୍ୟବାହିନୀ  ଜନଗଣଙ୍କ ପକ୍ଷରୁ କୌଣସି ପ୍ରଶ୍ନ ପଚରାଯିବାର ଉଦ୍ଧ୍ୱର୍ରେ ବୋଲି କୁହାଯାଇ ପାରିବ ନାହିଁ, କାରଣ ସେପରି କରାଗଲେ ଗଣତନ୍ତ୍ରରେ ଯେଉଁ ବ୍ୟବସ୍ଥା ଅଛି ଯେ ସୈନ୍ୟବାହିନୀ କୌଣସି ରାଜନୈତିକ ଦଳର ନୁହେଁ ସେକଥାଟି ପ୍ରଭାବିତ ହେବ । ସେ ଯାହା ହେଉ ଶାସକ ଦଳ ଯିଏ ରାଜନୀତିକୁ ଏକ ଯୁଦ୍ଧ ଭାବରେ ଦେଖେ ସିଏ ଏହାର ପରିଣାମକୁ ନେଇ ଚିନ୍ତା ନ କରିବାଟା ସ୍ୱାଭାବିକ ।

 ରାଜନୀତିର ଏହି ଦୃଷ୍ଟିଭଙ୍ଗୀ ଯେଉଁଠାରେ ରାଷ୍ଟ୍ରକୁ ଏକ ଯୁଦ୍ଧ ମେସିନ ଭାବରେ ଦେଖାଯାଏ, ତାହା ବର୍ତ୍ତମାନର ଶାସକ ଦଳ ଓ ଚଳିତ ସରକାରର ଏକ  ଅନ୍ତର୍ନିହିତ ଗୁଣ । ଏପରିକି ବିମୁଦ୍ରୀକରଣକୁ ମଧ୍ୟ କଳାଧନ ବିରୁଦ୍ଧରେ ଯୁଦ୍ଧ ବା ସର୍ଜିକାଲ ଷ୍ଟାଇକ ବୋଲି କୁହାଗଲା । ଯେଉଁମାନେ ଏହାକୁ ବିରୋଧ କଲେ ସେମାନଙ୍କୁ ଦେଶଦ୍ରୋହୀ କୁହାଗଲା । ଏହି ସରକାର ପକ୍ଷରୁ ବିରୋଧୀମାନଙ୍କ ବିରୁଦ୍ଧରେ ସବୁ ପଦକ୍ଷେପକୁ ମଧ୍ୟ ଏକ ଯୁଦ୍ଧର ଦୃଷ୍ଟିଭଙ୍ଗୀ ନେଇ ଦେଖାଯାଇଥାଏ, ଯାହା ଫଳରେ ବିରୋଧୀମାନଙ୍କୁ ସମର୍ଥନ କରୁଥିବା କୋଟି କୋଟି ଭାରତୀୟ ଜନତାଙ୍କ ବିରୁଦ୍ଧରେ ମଧ୍ୟ ଯୁଦ୍ଧ ଘୋଷଣା ହୋଇ ଯାଉଛି । ଏଇଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଶାସକ ଦଳ କେବଳ କ୍ଷମତାକୁ ଧରି ରଖିବା ପାଇଁ ବ୍ୟଗ୍ର କିନ୍ତୁ ରାଷ୍ଟ୍ରର ଗଣତାନ୍ତ୍ରିକ ସଂସ୍ଥାଗୁଡିକୁ ବଂଚାଇବା ପାଇଁ ଏହାର କୌଣସି ବ୍ୟଗ୍ରତା ଥିଲା ପରି ବୋଧ ହେଉନାହିଁ । କେନ୍ଦ୍ର ସରକାର ବାୟୁସେନାର ବିମାନ ଆକ୍ରମଣକୁ ରାଜନୈତିକ ପୁଞ୍ଜି ହିସାବରେ ବ୍ୟବହାର କରିବା ଓ ଯେଉଁମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ଦେଶ ଭିତରର ଶତୃ ବୋଲି କହିବା କେବଳ ଶାସକ ଦଳର ସ୍ଥାୟୀ ଯୁଦ୍ଧଖୋର ମନୋବୃତ୍ତିକୁ ପ୍ରକଟିତ କରୁଛି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କାରଣ ଏବେ ସରକାର ଉପରେ ସଂଘ ପରିବାର ପରି ସଂଘର୍ଷକାମୀ ଗୋଷ୍ଠୀଦ୍ୱାରା ପରିଚାଳିତ ଏକ ଦଳର ହିଁ ପ୍ରଭାବ ରହିଛି ଯାହାର ମୁଖ୍ୟ କାର୍ଯ୍ୟ ହେଉଛି ତଥାକଥିତ ଦେଶ ଭିତରେ ଥିବା ଶତୃମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା । କିନ୍ତୁ ଗଣତନ୍ତ୍ରରେ ନାଗରିକମାନଙ୍କୁ ସବୁବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖା ଯାଇ ନ ଥାଏ, ବରଂ ସେମାନଙ୍କୁ ଆଲୋଚନା ପାଇଁ ପ୍ରେରିତ କରାଯାଇଥାଏ । ଏହି ସରକାରର ଏହା ଏକ ଅନ୍ତର୍ନିହିତ ଅକ୍ଷମତା ଯେ ଏହା ରାଜନୀତିକୁ ଆଲୋଚନାଭିମୁଖୀ କରାଇ ପାରୁ ନାହିଁ କେବଳ ଅଧିକରୁ ଅଧିକ ଯୁଦ୍ଧାଭିମୁଖୀ କରାଉଛି ।

 

Back to Top