ISSN (Print) - 0012-9976 | ISSN (Online) - 2349-8846

ଉନ୍ମାଦନାର ରାଜନୀତି

ଗୋର୍ଖାଲ୍ୟାଣ୍ଡ ପ୍ରସଙ୍ଗର ସମାଧାନ ପାଇଁ ପଶ୍ଚିମବଙ୍ଗ ସରକାର ରାଜନୈତିକ ଆଲୋଚନା ଆରମ୍ଭ କରନ୍ତୁ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ରାଜନୀତିରେ ଜନଗଣଙ୍କ ଅଂଶଗ୍ରହଣକୁ ଗୋଟିଏ କାର୍ଯ୍ୟକାରୀ ଗଣତନ୍ତ୍ରର ଆଧାରଶୀଳା ହିସାବରେ ବିବେଚନା କରାଯାଏ । କିନ୍ତୁ ଉନ୍ମାଦନା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରେ । ନାଗରିକମାନେ ଠିକଣା ସୂଚନା ପାଇଥିଲେ ହିଁ ଗଣତାନ୍ତ୍ରିକ ରାଜନୀତି ସମ୍ଭବ; ଅନ୍ୟପକ୍ଷରେ ଉନ୍ମାଦନା ବିଚାର ଶୂନ୍ୟତାକୁ ପ୍ରୋତ୍ସାହିତ କରେ । ଆଜି ଭାରତୀୟ ରାଜନୀତି କେତୋଟି ମନ୍ତ୍ର ଶବ୍ଦ ଦ୍ୱାରା ଚାଳିତ ଯାହାଫଳରେ କ୍ରୋଧିତ ପ୍ରତିକ୍ରିୟା ଦେଖାଯାଇଥାଏ ଯଥା: ଗୋ ହତ୍ୟା, ପ୍ରେମର ଧର୍ମ ଯୁଦ୍ଧ, କଳାଟଙ୍କା ଏବଂ ସର୍ବୋପରେ ‘ବିଚ୍ଛିନ୍ନତାବାଦ’ ।

ରାଜନୀତିକ ସ୍ୱାୟତତାକୁ ନେଇ ଯେକୌଣସି ମୁକ୍ତ ଆଲୋଚନାକୁ ‘ବିଚ୍ଛିନ୍ନତାବାଦ’ର କଳାଛାୟା ଅଧିକ ଅସ୍ପଷ୍ଟ କରିଦେଉଛି । ସମ୍ପ୍ରତି ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଦେଖାଦେଇଥିବା ସଙ୍କଟଟି ଗଣତାନ୍ତ୍ରିକ ବାର୍ତାଳାପ ପାଇଁ ଯେଉଁ ସ୍ଥାନଟି ରହିଥିଲା ତାହା ସଙ୍କୁଚିତ ହୋଇଚାଲିଥିବାର ସୂଚନା ଦେଉଛି ।

ଜୁନ୍ ୮ ତାରିଖର କଥା । ଗତ ୪୫ବର୍ଷ ଭିତରେ ପ୍ରଥମଥର ପାଇଁ ପଶ୍ଚିମବଙ୍ଗ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀଙ୍କ ବୈଠକ ଦାର୍ଜିଲିଂରେ ଅନୁଷ୍ଠିତ ହେଉଥିବା ବେଳେ ଗେର୍ଖା ଜନମୁକ୍ତି ମୋର୍ଚ୍ଚା ଦ୍ୱାରା ଆୟୋଜିତ ବିଶାଳ ବିକ୍ଷୋଭ ସହରଟିକୁ ସ୍ତବ୍ଧ କରିଦେଇଥିଲା । ରାଜ୍ୟସାରା ବଙ୍ଗଳା ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଷ୍ପତି ଏହି ଘଟଣାଟିର ସୂତ୍ରପାତ କରିଥିଲା । କିନ୍ତୁ କ୍ୟାବିନେଟ ବୈଠକ ବସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ଘୋଷଣା କରିସାରିଥିଲେ ଯେ ଏହି ନିୟମଟି ନେପାଳୀ ଭାଷା କହୁଥିବା ଅଂଚଳ ପାଇଁ ପ୍ରଯୁଜ୍ୟ ହେବନାହିଁ । ସେତେବେଳକୁ ଭାଷା ପ୍ରସଙ୍ଗଟି ପୂର୍ବରୁ କରାଯାଇଥିବା ଗୋର୍ଖାଲ୍ୟାଣ୍ଡ ଦାବୀଟିକୁ ପୁନଃଜୀବିତ କରିସାରିଥିଲା । ସରକାର ନିଜର ପ୍ରତିକ୍ରିୟାଟିକୁ ସଶସ୍ତ୍ର ବାହିନୀ ମାଧ୍ୟମରେ ପ୍ରଦର୍ଶନ କଲେ । ପ୍ରତିରୋଧର ଦମନ ପାଇଁ ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ସେନାବାହିନୀକୁ ନିଯୁକ୍ତ କରାଗଲା ।

ତୃଣମୂଳକ କଂଗ୍ରେସ ନେତୃତ୍ୱାଧୀନ ସରକାର ଯୁକ୍ତି ରଖିଲେ ଯେ, ପଶ୍ଚିମବଙ୍ଗର ‘ଭୌଗୋଳିକ ସଂହତି’ର ସୁରକ୍ଷା ଦୃଷ୍ଟିରୁ ସାମରିକ ହସ୍ତକ୍ଷେପ ଅନିବାର୍ଯ୍ୟ । ଏହା ଲୋକଙ୍କ ଉନ୍ମାଦନାକୁ ବହୁଗୁଣ ବଢ଼ାଇ ଦେଲା । ଏକ କ୍ରୋଧିତ ବଙ୍ଗାଳୀ ସାଂସ୍କୃତିକ ବର୍ଗ ଅତିଶୀଘ୍ର ଦାର୍ଜିଲିଂକୁ କାଶ୍ମୀର ସହ ତୁଳନା କରିଦେଲେ । ଦୁଇଟି ଉଦାହରଣକୁ ଗୋଟିଏ କରି ‘ବିଚ୍ଛିନ୍ନତାବାଦ’ର ଛାପ ମାରି ଦିଆଗଲା । ଏକଥା ଏମାନେ ଭୁଲିଗଲେ ଯେ କାଶ୍ମୀର ସ୍ୱାୟତତା ଆନ୍ଦୋଳନ ଭିନ୍ନ ଏକ ‘ଦେଶ’ର ଦାବୀ ରଖୁଥିବା ବେଳେ, ଗୋର୍ଖାଲ୍ୟାଣ୍ଡ ଆନ୍ଦୋଳନଟି ଭାରତର ସୀମା ଭିତରେ ଗୋଟିଏ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବୀ କରୁଛି । ଜାଣିଶୁଣି କଥାଟିକୁ ଭୁଲିଯିବାର ମାନସିକତାକୁ ପ୍ରୋତ୍ସାହିତ କରୁଥିଲା କଲିକତାର ଗଣମାଧ୍ୟମ, ପ୍ରଭାବଶାଳୀ ଗୋଷ୍ଠୀ ଯେଉଁମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ଯେ ସରକାର କାଶ୍ମୀର ଆନ୍ଦୋଳନକୁ ଦୃଢ଼ ହସ୍ତରେ ମୁକାବିଲା କରୁଥିବା ବେଳେ, ଉତ୍ତରବଙ୍ଗର ସମସ୍ୟାର ସମାଧାନ ପାଇଁ ସେଭଳି ଦୃଢ଼ତା ଦେଖାଉ ନାହାନ୍ତି । ଏଭଳି ଏକ ତର୍କ, ବିଚାରକୁ ହିଁ ବଳି ପକାଉଛି । କେମିତି ଜନଆନ୍ଦୋଳନଗୁଡ଼ିକର ନିଷ୍ଠୁର ଦମନ କେବଳ ତାକୁ ଅସ୍ଥାୟୀ ଭାବେ ନିଷ୍କ୍ରିୟ କରିଥାଏ ଏବଂ ତାହା ସମ୍ପୃକ୍ତ ପ୍ରସଙ୍ଗର ସମାଧାନ କରିନଥାଏ ଏକଥା ଆମ ସାମୂହିକ ଜନସ୍ମୃତିରୁ ହଜିଯାଇଛି ଯେମିତି ।

ଅବଶ୍ୟ ରାଜ୍ୟସରକାର ଗୋର୍ଖା ଜନମୁକ୍ତି ମୋର୍ଚ୍ଚାର ଦାବୀଗୁଡ଼ିକୁ ମାନିନେବା ପୂର୍ବରୁ ସେ ସବୁର ମୂଲ୍ୟାୟନ କରିବା ଦରକାର । ପ୍ରଥମରୁ ହିଁ ଯେଉଁ ଜାତି-ଭାଷାଭିତିକ ଅସ୍ମିତା ପାଇଁ ଏହି ମୋର୍ଚ୍ଚା ଲୋକମାନଙ୍କୁ ସଙ୍ଗଠିତ କରୁଛି ତାକୁ ପ୍ରଶ୍ନ କରିବାକୁ ପଡ଼ିବ । ଐତିହାସିକ ଲିଓନେଲ କାପ୍ଲାନ୍ଙ୍କ ଯୁକ୍ତିରେ, ଉପନିବେଶ ଅମଳରେ ଗୋଟିଏ ‘ସାମରିକ ଜାତି’କୁ ବୁଝାଉଥିବା ଶବ୍ଦଟିର ନାଁ ହେଉଛି ‘ଗୋର୍ଖା’ ବା ‘ଗୁର୍ଖା’ ଯାହାର ପରିଧି ଭିତରେ ବିଭିନ୍ନ ଜାତି-ଭାଷାଭିତିକ ଗୋଷ୍ଠୀ ରହୁଥିଲେ, ଯେଉଁମାନଙ୍କ ଭିତରୁ ସାମରିକ ବାହିନୀ ପାଇଁ ନିଯୁକ୍ତି ଦିଆଯାଉଥିଲା । କିନ୍ତୁ ଏଭଳି ଏକ ଯୁକ୍ତି ଏମାନଙ୍କର ସାମ୍ପ୍ରତିକ ଦାବୀର ବୈଧତାକୁ ବିପନ୍ନ କରୁଛି କି? ନିଃସନ୍ଦେହ, ଗୋଷ୍ଠୀଗତ ଅସ୍ମିତା ସାଂସ୍କୃତିକ, ଧାର୍ମିକ, ଭାଷାଭିତିକ, ଜାତିଭିତିକ, ଜାତୀୟତା- ସବୁ କିଛି ଇତିହାସ ଭିତରୁ ହିଁ ଜନ୍ମ ନେଇଛି । ଯେଉଁସବୁ ପରିଚୟ ବା ଅସ୍ମିତାଗୁଡ଼ିକ ସହ ଆମ ଭିତରୁ ଅଧିକାଂଶ ନିଜକୁ ସାମିଲ କରାଇ ପାରୁଛନ୍ତି ସେ ସବୁ ଉପନିବେଶୀୟ କାଳର ମୁକାବିଲାରୁ ହିଁ ଜାତ । ଯଦି ସେ ସମୟର ବିଟ୍ରେନରେ ଥିବା ପେଶାଦାର ମଧ୍ୟବିତ ଶ୍ରେଣୀ ସହ ବଙ୍ଗାଳୀ ଭଦ୍ରଲୋକ ଅସ୍ମିତାକୁ ବୈଧ ବୋଲି ଧରି ନିଆଯିବ ତେବେ ଉତରବଙ୍ଗରେ ଏହି ବଙ୍ଗାଳୀ ଭଦ୍ରଲୋକଙ୍କର ପତିଆରାକୁ ମୁକାବିଲା କରୁଥିବା ଗୋର୍ଖା ଅସ୍ମିତାକୁ କାହିଁକି ବୈଧ ବିବେଚନା କରାନଯିବ?

ବଡ଼ ପ୍ରଶ୍ନଟି ହେଉଛି କାହାକୁ ଗୋର୍ଖା ମଂଚଞ୍ଚ ବାଦ୍ ଦେଉଛି ଏବଂ କାହାର ପ୍ରତିନିଧିତ୍ୱ କରୁଛି । ଗୋର୍ଖାମାନେ ଏକମାତ୍ର ଜାତି ନୁହେଁ ଯେଉଁମାନେ କେବଳ ଉତରବଙ୍ଗରେ ବାସ କରନ୍ତି । ଗୋର୍ଖାଙ୍କ ବ୍ୟତିରେକ ଅନ୍ୟ କେଉଁସବୁ ଅଳ୍ପସଂଖ୍ୟକ ଜାତିମାନଙ୍କୁ ଗୋର୍ଖା ଜନମୁକ୍ତି ମଂଚ ପ୍ରତିନିଧିତ୍ୱ କରୁଛି? ଦାର୍ଜିଲିଂ ବ୍ୟତୀତ କେଉଁଠି ବି ଗୋର୍ଖାମାନେ ସଂଖ୍ୟାଗରିଷ୍ଠ ନୁହନ୍ତି । କିନ୍ତୁ ମଂଚଞ୍ଚସିଲ୍ଗୁରି ଟାଉନ ସହ ସମଗ୍ର ପାର୍ବତ୍ୟାଂଚଳ ଓ ସମତଳ ଅଂଚଳକୁ ଗୋର୍ଖାଲ୍ୟାଣ୍ଡର ଅଂଶ ରୂପେ ଦାବୀ କରୁଛି । ସମଗ୍ର ଅଂଚଳକୁ ମିଶାଇଦେଲେ ଗୋର୍ଖାମାନେ ସଂଖ୍ୟାଲଘୁ । ମଂଚକୁ ପ୍ରଶ୍ନ ପଚରାଯିବା ଦରକାର ସେମାନେ କେମିତି ଅଣ ଗୁର୍ଖାମାନଙ୍କୁ ତାଙ୍କରି ପ୍ରସ୍ତାବିତ ରାଜ୍ୟରେ ସାମିଲ କରାଇବେ । ଏଭଳି ପ୍ରସଙ୍ଗ ଉପରେ ଆଲୋଚନା କରି ସମାଧାନର ପଥ ବାହାର କରିହେବ କିନ୍ତୁ ବଳପ୍ରୟୋଗ ଦ୍ୱାରା ଅବା ‘ଭୌଗୋଳିକ ସଂହତି’ ସୁରକ୍ଷାର ଉନ୍ମାଦନା ଭିତରେ ନୁହେଁ ।

ରାଜ୍ୟ ସରକାର ଅନବରତ ବଳ ପ୍ରୟୋଗ କରିବା ପଛରେ ମୁଖ୍ୟ କାରଣଟି ହେଉଛି ପଶ୍ଚିମବଙ୍ଗର ଭୌଗୋଳିକ ଅଖଣ୍ଡତା ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତା ଅଛି ଏଭଳି କଥାର ପ୍ରଦର୍ଶନ ଦ୍ୱାରା ସମଗ୍ର ରାଜ୍ୟରେ ତୃଣମୂଳ କଂଗ୍ରେସ ପ୍ରତି ଜନସମର୍ଥନ ସୃଷ୍ଟି କରିବା । ୧୯୦୫ ଏବଂ ୧୯୪୭ରେ ଦୁଇଥର ବିଭାଜିତ ହୋଇଥିବା ପଶ୍ଚିମବଙ୍ଗର ସ୍ଥିତିକୁ ଗୋର୍ଖାଲ୍ୟାଣ୍ଡ ପ୍ରସଙ୍ଗ ଏବେ ଦଂଶନ କରୁଛି । ରାଜ୍ୟର ବିଭାଜନକୁ ସାଲିସବିହୀନ ବିରୋଧ କରି ତୃଣମୂଳ କଂଗ୍ରେସ ଆଶା କରୁଛି ଯେ ବଂଗାଳୀ ସାସ୍କୃତିକ ଅସ୍ମିତାର ସୁରକ୍ଷାକାରୀ ନିଜକୁ ଉପସ୍ଥାପନ କରିହେବ । ଏଭଳି ଏକ ପଦକ୍ଷେପ ଭାରତୀୟ ଜନତା ପାର୍ଟିର ରଣନୀତି ଯାହା ହିନ୍ଦୁତ୍ୱକୁ ବ୍ୟବହାର କରି ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କରିବା ପାଇଁ ଉଦ୍ଦିଷ୍ଟ ତାକୁ ପ୍ରତିହତ କରିବ ।

ରାଜନୈତିକ ଅଶାନ୍ତି ଉତରବଙ୍ଗରେ ଅର୍ଥନୈତିକ ଜୀବନକୁ ସ୍ଥାଣୁ କରିଦେଇଛି । ତଥାପି, ତୃଣମୂଳ କଂଗ୍ରେସ ସମ୍ଭାବ୍ୟ ନିର୍ବାଚନୀ ଫାଇଦା ନେବା ପାଇଁ ଆଶା ରଖି କାମ କରୁଛି । ପୂର୍ବ ବାମପନ୍ଥୀ ସରକାରଙ୍କ ଭଳି (ଯେଉଁମାନେ ଗୋର୍ଖାଲ୍ୟାଣ୍ଡ ପ୍ରସଙ୍ଗରେ ଏକା ଭଳି ଆଭିମୁଖ୍ୟ ରଖି ଆସିଥିଲେ), ଏମାନେ ବି ବଙ୍ଗୀୟ ସାଂସ୍କୃତିକ ମଧ୍ୟବିତ ଶ୍ରେଣୀ ଆଗରେ ମୁଣ୍ଡ ନୁଅାଁଇବାର ମୂଲ୍ୟଟିକୁ ବୁଝିପାରିଛନ୍ତି । ଏହି ପ୍ରସଙ୍ଗରେ ଭାଜପାର ଅସ୍ଥିରତା ମଧ୍ୟ ଅନେକ କିଛି ଇଙ୍ଗିତ କରେ । ପୂର୍ବରୁ ଏମାନେ ଗୋର୍ଖାଲ୍ୟାଣ୍ଡ ପ୍ରସଙ୍ଗରେ ସମବେଦନା ଦେଖାଇ ଆସିଛନ୍ତି । ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କରିବାର ଆଙ୍କାକ୍ଷା ଯେମିତି ପାଣିକୁ କାଦୁଆ କରିଦେଇଛି । ଭାଜପାର ଦାର୍ଜିଲିଂ ଶାଖା ଗୋର୍ଖାଲ୍ୟାଣ୍ଡ ଦାବୀ ପ୍ରତି ସମର୍ଥନ ଜଣାଇଛି; ପଶ୍ଚିମବଙ୍ଗ ଭାଜପା ବିରୋଧ କରୁଛି ଯେତେବେଳେ କି ଆନ୍ଦୋଳନ ଦମନ କରିବାପାଇଁ କେନ୍ଦ୍ର ସରକାର ସେନା ପଠାଉଛନ୍ତି । ପ୍ରସଙ୍ଗଟିକୁ ଅଧିକ ଜଟିଳ କରିଦେଇଛି ସିକିମ୍ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମ୍ଲିଙ୍ଗଙ୍କର ଗୋର୍ଖାଲ୍ୟାଣ୍ଡ ପ୍ରତି ଖୋଲାଖୋଲି ସମର୍ଥନ । ଶେଷରେ କିନ୍ତୁ କହିବା ଯେ ‘ବିଚ୍ଛିନ୍ନତାବାଦ’କୁ ନେଇ ଗଣ ଉନ୍ମାଦନା ବୃଦ୍ଧିପାଇବା ଆମ ଗଣତନ୍ତ୍ରର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହେବ ।

ହିଂସାକୁ ବାହାନା କରି ଆଲୋଚନାକୁ ନ ଆସିବା ପାଇଁ ଉଭୟ ପକ୍ଷ ଉଦ୍ୟମ କରିଥାନ୍ତି । ଉତେଜନାମୂଳକ ପରିବେଶକୁ ହ୍ରାସ କରାଇବା ପାଇଁ ଉଦ୍ୟମ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ମମତା ବାନାର୍ଜୀ ଯେହେତୁ ଦାବୀ କରନ୍ତି ଯେ ସେ ସମଗ୍ର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ, ସୁତରାଂ ସେ ଗଣ ଉନ୍ମାଦନାର ରାଜନୀତି ନଖେଳି ରାଜ୍ୟନୈତିକ ଆଲୋଚନା ପାଇଁ ଆଗଭର ହେବା ଦରକାର ।

Back to Top