ISSN (Print) - 0012-9976 | ISSN (Online) - 2349-8846

ଜେଲରେ ଥିବା ସ୍ୱାଧୀନତା

ମହିଳା ବନ୍ଦୀମାନଙ୍କୁ ପୁରୁଷପ୍ରଧାନ ପକ୍ଷପାତିତାର ବୋଝକୁ ବୋହିବାକୁ ପଡ଼ୁଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ମୁମ୍ବାଇର ବାଇକୁଲାରେ ଥିବା ମହିଳା ଜେଲର ଜଣେ ୩୮ବର୍ଷୀୟ ଅନ୍ତେବାସୀଙ୍କ ଜୁନ୍ ୨୪ରେ ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ଆମର ଜେଲ, ବିଶେଷକରି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଜେଲମାନଙ୍କରେ ଥିବା ବିଚାରାଧୀନ ଏବଂ ଦଣ୍ଡ ଭୋଗୁଥିବା ମହିଳା ବନ୍ଦୀମାନେ ସାମ୍ନା କରୁଥିବା ଦୁଃସ୍ଥ ସ୍ଥିତି ସମ୍ପର୍କରେ ସୂଚିତ କରୁଛି । କର୍ମଚାରୀ ଅଭାବ ଯୋଗୁଁ ୱାର୍ଡ଼ନ ଦାୟିତ୍ୱ ଦିଆଯାଇଥିବା ମଞ୍ଜୁଳା ସେଠୀଙ୍କୁ ବାଡ଼େଇ ବାଡ଼େଇ ମାରିଦିଆଗଲା ଯେତେବେଳେ ସେ ଜଣେ ମହିଳା ଜେଲ ଅଫିସରଙ୍କୁ ତାଙ୍କ ବାରାକରେ ଥିବା ଅନ୍ତେବାସିନୀମାନଙ୍କୁ କାହିଁକି କମ୍ ଅଣ୍ଡା ଓ ପାଉଁରୁଟି ଦିଆଯାଉଛି ବୋଲି ପ୍ରଶ୍ନ କଲେ । ସରକାରଙ୍କ ଦ୍ୱାରା ପରିଚାଳିତ ଜେ.ଜେ. ହସ୍ପିଟାଲର ଡାକ୍ତରମାନେ କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଲେଖାଯାଇଛି ଯେ କ୍ଷତଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ଶରୀରର ବହୁତ ସ୍ଥାନରେ ଶରୀରରେ କ୍ଷତ ଘଟି ଭିତରୁ ରକ୍ତ ବାହାରୁଥିଲା । ଜଣେ ସହଅନ୍ତେବାସିନୀ ସମଗ୍ର ଘଟଣାଟିକୁ ଦେଖିଥିଲେ ଏବଂ ପୋଲିସର ଏଫ୍.ଆଇ.ଆର୍.ରେ ତାହା ଉଲ୍ଲେଖ କରାଯାଇଛି । ମଞ୍ଜୁଳା ସେଠୀଙ୍କୁ ଯେ ଜେଲ କର୍ମଚାରୀମାନେ ବାଡ଼େଇଥିଲେ ତାହା ନୁହେଁ, ତିନିଜଣ ମହିଳା ସିପାହୀ ମଧ୍ୟ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ତଥାପି, ୬ଜଣ ଜେଲ କର୍ମଚାରୀ ଚିହ୍ନଟ ହେବା ପରେ ମଧ୍ୟ ଜଣକୁ ବି ଗିରଫ କରାଯାଇ ନାହିଁ ।

ଜେଲରେ ଥିବା ମହିଳାମାନଙ୍କୁ ସବୁଠାରୁ ହୀନ ଧରଣର ପୁରୁଷ ପ୍ରଧାନ ପକ୍ଷପାତିତାକୁ ସହିବାକୁ ପଡ଼ୁଛି, କେବଳ ସମାଜରେ ନୁହେଁ, ନିଜ ପରିବାର ଏବଂ ଜେଲ କର୍ମଚାରୀମାନଙ୍କ ଠାରୁ ମଧ୍ୟ । ଅଧ୍ୟୟନରୁ ଜଣାପଡ଼ୁଛି ମହିଳା ଅପରାଧି ତଥା ବିଚାରାଧିନ ବନ୍ଦୀମାନଙ୍କ ପ୍ରତି ପରିବାରଗୁଡ଼ିକ ଅଧିକ କଠୋର ଏବଂ କ୍ଷମାହୀନ, ଯାହାଫଳରେ ଏହି ମହିଳାମାନଙ୍କୁ ଜେଲରେ ଭେଟିବା ପାଇଁ ବହୁତ କମ ସମ୍ପର୍କୀୟ ଯାଆନ୍ତି ଏବଂ ସେମାନଙ୍କୁ ମୁକ୍ତ କରିବା ପାଇଁ ଆଇନ - ଅଦାଲତରେ କମ ଖର୍ଚ୍ଚ ମଧ୍ୟ କରନ୍ତି । ଅବଶ୍ୟ ଏମାନଙ୍କ ଭିତରୁ ଅଧିକାଂଶ ନିମ୍ନ ଅର୍ଥନୈତିକ ବର୍ଗର । ସେଥିପାଇଁ ସେମାନେ ସାମ୍ନା କରୁଥିବା ନିର୍ଯାତନା ସମ୍ପର୍କରେ କହିପାରନ୍ତି ନାହିଁ । ବାସ୍ତବରେ ସେମାନେ ପରିତ୍ୟକ୍ତ ଏବଂ ଜେଲ କର୍ମଚାରୀମାନଙ୍କ ଦୟା ଉପରେ ନିର୍ଭର କରନ୍ତି ।

ଯଦିଓ ଦେଶର ଅଧିକାଂଶ ଜେଲରେ ସ୍ଥାନ ତୁଳନାରେ ବହୁ ଅଧିକ ଲୋକ ଅଛନ୍ତି, ପରିମଳ ଓ ଜନସ୍ୱାସ୍ଥ୍ୟ ଅବସ୍ଥା ଖରାପ ଏବଂ ଅଖାଦ୍ୟ ପରିବେଷଣ କରାଯାଉଛି, ମହିଳା ଜେଲମାନଙ୍କର ପରିସ୍ଥିତି ଆହୁରି ଅଧିକ ଖରାପ । ୨୦୧୪ର ନ୍ୟାସନାଲ କ୍ରାଇମସ୍ ରେକର୍ଡ଼ ବ୍ୟୁରୋ ତଥ୍ୟ ମୁତାବକ ଆମ ଦେଶର ୧୬,୯୫୧ମହିଳା ବନ୍ଦୀ ଅଛନ୍ତି ଏବଂ ୧,୩୯୪ ଜେଲ ଭିତରୁ ୨୦ଟି ଜେଲ କେବଳ ମହିଳା ବନ୍ଦୀମାନଙ୍କ ପାଇଁ ଉଦ୍ଦିଷ୍ଟ । ସମୁଦାୟ ସଂଖ୍ୟା ଭିତରୁ ୧୧୦୦୦ ହେଉଛନ୍ତି ବିଚାରାଧୀନ ବନ୍ଦୀ । ସଂଖ୍ୟାଧିକ ମହିଳା ୧୮ରୁ ୫୦ବର୍ଷ ବୟସ ସୀମା ଭିତରେ । ଯଦିଓ ଅନେକ ସରକାରୀ କମିଟି ସଂସ୍କାର ଆଣିବା ପାଇଁ ସୁପାରିଶ କରିଛନ୍ତି, ତେବେ ସେସବୁ ପୁରୁଷ କାରାଗାରମାନଙ୍କ ଉପରେ ଗୁରୁତ୍ୱ ଆରୋପ କରିଛି । ମହିଳାମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତାଗୁଡ଼ିକୁ ଯଥେଷ୍ଟ ଧ୍ୟାନ ଦିଆଯାଇ ନାହିଁ । ଉଦାହରଣ ସ୍ୱରୂପ ମହିଳା ବନ୍ଦୀମାନଙ୍କୁ ଋତୁସ୍ରାବ ବେଳେ ମୌଳିକ ସୁବିଧା ମିଳିବା ଦରକାର । ଗର୍ଭବତୀ ମହିଳା ଓ ନବଜାତକଙ୍କ ମା’ମାନେ ଯେଉଁମାନେ ପିଲାଙ୍କୁ ନିଜ କ୍ଷୀର ଦିଅନ୍ତି, ସେମାନଙ୍କର ଭିନ୍ନ ଧରଣର ଆବଶ୍ୟକତା ରହିଛି । ଏହି ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଇ ନଥାଏ । ମହିଳା ବନ୍ଦୀମାନେ ରୋଗରେ ପଡ଼ିଲେ ସେମାନେ ଔଷଧ ପାଇଁ ପରିବାରର ସଦସ୍ୟ ବା ବନ୍ଧୁମାନଙ୍କ ଉପରେ ନିର୍ଭର କରନ୍ତି । ବହୁତ ମହିଳା ବନ୍ଦୀ ୬ବର୍ଷ ହେବା ଯାଏଁ ପିଲାମାନଙ୍କୁ ନିଜ ପାଖରେ ରଖିପାରିବେ । ଯେଉଁ ନଗଣ୍ୟ ପୁଷ୍ଟି ଓ ଶିକ୍ଷାର ସୁବିଧା ସେମାନଙ୍କୁ ଦିଆଯାଏ ତାହା ଖରାପ ପରିସ୍ଥିତିଟିକୁ ଅଧିକ ଜଟିଳ କରିଦିଏ ।

ଉଭୟ ନାରୀ ଓ ପୁରୁଷ ରହୁଥିବା କାରାଗାରମାନଙ୍କରେ, ମହିଳାମାନଙ୍କୁ ବିଚ୍ଛିନ୍ନ ଇଲାକାରେ ରଖିଦିଆଯାଏ ଯେଉଁଠି ସେମାନେ ପାଠାଗାର ଭଳି କୌଣସି ସୁବିଧା ପାଆନ୍ତି ନାହିଁ । ଜାତୀୟ କ୍ରାଇମ୍ ରେକର୍ଡ଼ ବ୍ୟୁରୋର ତଥ୍ୟ ମୁତାବକ ସମଗ୍ର ଦେଶରେ ଥିବା ମହିଳା ବନ୍ଦୀମାନଙ୍କ ସଂଖ୍ୟାର ଶତକଡ଼ା ୨୫ଭାଗରୁ କମ ମହିଳା ଜେଲ କର୍ମଚାରୀ ଅଛନ୍ତି । ୧୯୮୮ରେ ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ନ୍ୟାୟମୂର୍ତି କ୍ରିଷ୍ଣା ଆୟାର ମହିଳା ବନ୍ଦୀମାନଙ୍କ ସ୍ଥିତି ଅନୁଧ୍ୟାନ କରି ସୁପାରିଶ କରିଥିଲେ ଯେ, ‘ମହିଳା ଏବଂ ବାଳ ଅପରାଧୀମାନଙ୍କୁ ଦେଖାଚାହାଁ କରିବା ପାଇଁ ସ୍ୱତନ୍ତ୍ର ଭୂମିକାର ଆବଶ୍ୟକତା ଥିବା ଦୃଷ୍ଟିରୁ ପୁଲିସ ବାହିନୀରେ ଅଧିକ ମହିଳାଙ୍କୁ ଯେମିତି ନିଯୁକ୍ତି ଦିଆଯିବ । ମଞ୍ଜୁଳା ସେଠୀ ଗୋଟିଏ ମହିଳା କାରାଗାରରେ ଥିଲେ ଯେଉଁଠି ତାଙ୍କୁ ଆକ୍ରମଣ କରିଥିବା କର୍ମଚାରୀମାନେ ମଧ୍ୟ ମହିଳା ଥିଲେ । ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ଜେଲ କର୍ମଚାରୀଜଣକ ମହିଳା କି ପୁରୁଷ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ; ତା'ଠାରୁ ଅଧିକ ଗୁରୁତ୍ୱ ରଖେ ସେମାନଙ୍କୁ କିଭଳି ପ୍ରଶିକ୍ଷଣ ଓ ସମ୍ବେଦନଶୀଳତା ଶିଖାଯାଉଛି । ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ସେମାନଙ୍କର କର୍ମ ପାଇଁ କେମିତି ସେମାନଙ୍କୁ ଉତରଦାୟୀ କରାଯାଇପାରିବ । ମହାରାଷ୍ଟ୍ରରେ ଦୁଇଟି ମହିଳା କାରାଗାର ରହିବା ଏବଂ ଦେଶର ପ୍ରଥମ ମୁକ୍ତାକାଶ ମହିଳା କାରାଗାର ଏଠାରେ ପ୍ରତିଷ୍ଠା ହେବା ଉପରୋକ୍ତ କଥାଟିର ଗୁରୁତ୍ୱ ବଢ଼ାଉଛି । ମହାରାଷ୍ଟ୍ରର ଅପେକ୍ଷାକୃତ ପ୍ରଗତିଶୀଳ ଭାବମୂର୍ତି ଥିବା ସତ୍ୱେ ମାର୍ଚ୍ଚ ୨୧ଦିନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍ଜୁ ଲୋକସଭାକୁ କହିଥିଲେ ଯେ ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ ହାଜତ ମୃତ୍ୟୁ ସଂଖ୍ୟା ‘ଟିକିଏ ଅଧିକ' ରହିଛି । ଉତରଦାୟିତ୍ୱ ନରହିଲା ଭଳି ଏକ ପରିବେଶ ଏଥିପାଇଁ ଦାୟୀ ।

ସାଧାରଣ ଭାବେ କାରାଗାର ସଂସ୍କାର ବିଶେଷକରି ମହିଳା ବନ୍ଦୀ ସମ୍ବନ୍ଧିତ ଅସୁବିଧାରେ ସୁଧାର ଆଣିବା ପାଇଁ କୌଣସି ସରକାରଙ୍କର ପ୍ରାଥମିକତା ନାହିଁ । କାରାଗାରଗୁଡ଼ିକ ଧାରାବାହିକ ଭାବେ କମ କର୍ମଚାରୀମାନଙ୍କୁ ନେଇ ଚାଲିଛି ଏବଂ ନବନିଯୁକ୍ତ ଅଧିକାରୀମାନଙ୍କୁ ମଧ୍ୟ କମ ସଂଖ୍ୟାରେ ବନ୍ଦୀମାନଙ୍କର କଲ୍ୟାଣମୂଳକ କାମରେ ନିଯୁକ୍ତ କରାଯାଉଛି । ପରିଦର୍ଶକ ପରିଷଦର ବୈଠକ (ଯେଉଁଠି ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ସଦସ୍ୟ ନୁହନ୍ତି) ନିୟମିତ ଡକାଯାଉ ନାହିଁ ଯେହେତୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ଭୟ ନାହିଁ ଏବଂ ଏମିତିକି ଅପରାଧିକ ଅନୁସନ୍ଧାନ କାମ ବି କମ୍ କରାଯାଉଛି ।

ସେଠୀଙ୍କ ନିର୍ଦ୍ଦୟ ହତ୍ୟାର ଅନୁସନ୍ଧାନ ହେବା ଦରକାର ଏବଂ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର । ଆଇନ କାର୍ଯ୍ୟକାରୀ କରୁଥିବା ଲୋକମାନଙ୍କୁ ଉତରଦାୟୀ କରିବା ପାଇଁ ଗଣମାଧ୍ୟମ, ନାଗରିକ ସମାଜ ଓ ନ୍ୟାୟବ୍ୟବସ୍ଥା ଜରୁରୀ ମନେ କରିବା ଉଚିତ । ନ୍ୟାୟମୂର୍ତି କ୍ରିଷ୍ଣା ଆୟାର ଯେମିତି ନିଜର ଏକ ରାୟ (ସୁନିଲ କାପ୍ରା ବନାମ ଦିଲ୍ଲୀ ପ୍ରଶାସନ ଏବଂ ଅନ୍ୟମାନେ, ୧୯୭୮)ରେ କହିଥିଲେ, ‘କାରାଗାରରେ ମୁକ୍ତି ଆମ ସାମ୍ବିଧାନିକ ବ୍ୟବସ୍ଥାର--- ଏକ ଅଂଶ । ଯେମିତି ଯୁଦ୍ଧଟି ଏତେ ଗୁରୁତ୍ୱପୂର୍ଣ୍ଣ ଯେ କେବଳ ସେନାପତିଙ୍କ ହାତରେ ତାକୁ ଛାଡ଼ି ଦିଆଯାଇ ପାରିବନି, ନିଶ୍ଚିତ ଭାବେ ବନ୍ଦୀମାନଙ୍କର ଅଧିକାର ସେତିକି ମୂଲ୍ୟବାନ ଯାହା କେବଳ ଜେଲରମାନଙ୍କ ଜିମାରେ ଛାଡ଼ି ଦିଆଯାଇ ପାରିବନି ।'

Back to Top