ISSN (Print) - 0012-9976 | ISSN (Online) - 2349-8846

ସମାଲୋଚକମାନଙ୍କୁ ଚୁପ୍ କରାଇବା କେମିତି

ଏନ୍.ଡି.ଟିଭି. ଭଳି ସମାଲୋଚନାର ସ୍ୱରଗୁଡ଼ିକୁ ଆକ୍ରମଣ କରି ସରକାର ସମସ୍ତଙ୍କ ପାଇଁ ବାର୍ତାଟିଏ ଛାଡ଼ିଛନ୍ତି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ସବୁ ଶାସକ ନିଜ ଚାରିପଟେ ତୋଷାମଦକାରୀଙ୍କୁ ଦେଖିବାକୁ ଭଲ ପାଆନ୍ତି, ଯାହା ଶାସନ କରିବା ଦାୟିତ୍ୱଟିକୁ ଅଧିକ ସହଜ କରିଦିଏ । ତୁମେ କେବଳ ଶିଖରରେ ରହି ଘୋଷଣାନାମା ପଢ଼଼ିଚାଲିବ, ଆଉ ତୁମ ଅନୁଗାମୀମାନେ ତା’ର ଜୟଗାନ କରିଚାଲିଥିବେ । କେବଳ ନିପଟ ମୂର୍ଖମାନେ ହିଁ ପ୍ରଶ୍ନଟିଏ କରିବେ ଏବଂ ସେମାନଙ୍କଠୁ ଆହୁରି ଅଧିକ ମୂର୍ଖ ସମାଲୋଚନା କରିବେ । ଯଦି ସେମାନେ ସେପରି କରନ୍ତି, ତାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ । ଯଦିଓ ଏହି କଥାଟି ଅତି କାଳ୍ପନିକ ଶୁଭୁଛି, ତେବେ ଭାରତୀୟ ଗଣତନ୍ତ୍ର ଏଭଳି ଏକ କାଳ୍ପନିକ ଦୃଶ୍ୟପଟ୍ଟର ନିକଟତର ହେବାରେ ଲାଗିଛି । ଶାସନରେ ରହିବାର ତିନିବର୍ଷ ଭିତରେ ଏକଦା ଏକ ଗତିଶୀଳ ଓ ବିବିଧତାରେ ଭରପୁର ଥିବା ଟେଲିଭିଜନ ସମ୍ବାଦ ମାଧ୍ୟମକୁ ନେତାଙ୍କ ପ୍ରତିଟି କଥାକୁ ସମର୍ଥନ କରିବା ବା ତାଙ୍କ ସହ ତାଳ ଦେଇ କହିବା ପାଇଁ ପରିବର୍ତନ କରିବା କ୍ଷେତ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ସଫଳ ହୋଇପାରିଛନ୍ତି । ଠିକ୍ ସେତିକିବେଳେ ବିରୋଧୀ ବୋଲି ଯାହା କିଛି ବି ଅଛି ତାଙ୍କୁ ତତଲା କଡ଼େଇରେ ଭାଜି ଚାଲିଛନ୍ତି ।

ଏହି ପରିସ୍ଥିତି ଯୋଗୁଁ ଯାହାକିଛି ଦୋଷତ୍ରୁଟି ଥିଲେ ବି ଏନ୍.ଡି.ଟିଭି. ଅନ୍ୟମାନଙ୍କଠୁ ଭିନ୍ନ ପରିଚୟ ରଖିଆସିଛି । ଜୁନ୍ ୫ରେ ଏହି ଟିଭି ଚ୍ୟାନେଲର ପ୍ରତିଷ୍ଠାତା ପ୍ରଣୟ ରାୟ ଓ ରାଧିକା ରାୟଙ୍କ ବାସଭବନରେ ସି.ବି.ଆଇ ଚଢ଼ାଉ କରିବା ଗଣମାଧ୍ୟମର ସ୍ୱାଧୀନତା ଉପରେ ସିଧାସଳଖ ଏକ ଆକ୍ରମଣ କି ନୁହେଁ କଥାଟି ଉପରେ ଅନେକ ବିତର୍କ ହୋଇସାରିଲାଣି । ଏନ୍.ଡି.ଟି.ଭି.ର ଆର୍ଥିକ କାରବାର ନେଇ ୨୦୦୯ରୁ ଅନୁସନ୍ଧାନ ଚାଲିଛି । ହଠାତ ସି.ବି.ଆଇ. ଗୋଟିଏ ଘରୋଇ ବ୍ୟାଙ୍କ ସହ ଏହାର କାରବାର ନେଇ କେହିଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଚଢ଼ାଉ କରିବା ଅସାଧାରଣ ଲାଗୁଛି । ଚଢ଼ାଉ କରିବାର ସମୟ ଓ ତରିକ୍କା ଏହାର ଉଦ୍ଦେଶ୍ୟକୁ ନେଇ ଅନେକ ପ୍ରଶ୍ନ ଉତ୍ଥାପନ କରୁଛି ।

ଯଦିଓ ଏକଥା ସତ ଯେ ଅତୀତର ସରକାରମାନେ ଗଣମାଧ୍ୟମ ସମେତ ନିଜ ବିରୋଧିଙ୍କୁ ନୀରବ କରାଇବା ପାଇଁ ସି.ବି.ଆଇକୁ ବ୍ୟବହାର କରୁଥିଲେ, ତେବେ ଏବେକାର ସରକାର ଯେଭଳି ତଥାକଥିତ ଆର୍ଥିକ ଭୁଲ୍ ତ୍ରୁଟିଗୁଡ଼ିକ ଉପରେ ଦୃଷ୍ଟି ନିକ୍ଷେପ କରି ଗୋଟିଏ ଗୁଳିରେ ଦୁଇଟି ଶିକାର ପାଇବାର ଲକ୍ଷ୍ୟ ରଖିଛନ୍ତି; ତାହା ଅନ୍ୟମାନଙ୍କଠୁଁ ଭିନ୍ନ ବିରୋଧୀଦଳ ନେତା ହୁଅନ୍ତୁ ବା ଜଣେ ମାନବ ଅଧିକାର କର୍ମୀ ବା ସ୍ୱେଚ୍ଛାସେବୀ ସଙ୍ଗଠନ ବା ଗୋଟିଏ ଗଣମାଧ୍ୟମ ପ୍ରତିଷ୍ଠାନ ଏମାନଙ୍କୁ ବଦନାମ କରିବା ଏବଂ ଠିକ୍ ସେତିକିବେଳେ ସରକାରଙ୍କ ଏପରି କାର୍ଯ୍ୟାନୁଷ୍ଠାନ ହୋଇପାରେ ଆଶଙ୍କାରେ ଥିବା ଲୋକମାନଙ୍କୁ ନୀରବ କରାଇବ । ଗଣମାଧ୍ୟମ କ୍ଷେତ୍ରରେ ତାହା ଅଧିକ ଫଳପ୍ରଦ ଭାବେ କାମ କରେ ଯେତେବେଳେ କି ସରକାର ନିଜେ ପୋଷା ମାନିଥିବା ଶୁଆ ଭଳି ଗଣମାଧ୍ୟମର ସ୍ୱାଧୀନତା ପ୍ରତି ଅଙ୍ଗୀକାରବଦ୍ଧ ଅଛନ୍ତି ବୋଲି ଗୋଟିଏ ପଟେ କହିଚାଲିଥିବାବେଳେ ଅନ୍ୟପଟେ ଆର୍ଥିକ ସ୍ୱଚ୍ଛତା ନାଁ’ରେ ଗଣମାଧ୍ୟମର ମାଲିକମାନଙ୍କ ବିରୁଦ୍ଧରେ ଯାଉଛନ୍ତି । ଏଭଳି ଯୁକ୍ତିଯୁକ୍ତତା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇଥାଏ ଯେଉଁମାନଙ୍କୁ ପାଠ ପଢ଼ାଇ ଦିଆଯାଇଛି ଯେ ଯେଉଁ ଗଣମାଧ୍ୟମ ସରକାରଙ୍କୁ ସମାଲୋଚନା କରେ ସେମାନେ ଅବିଶ୍ୱସ୍ତ ବା ମିଛ କହୁଛନ୍ତି ଅବା କିଛିଦିନ ତଳେ ଏନ୍.ଡି.ଟି.ଭି. ଆଲୋଚନାବେଳେ ଭାଜପାର ପ୍ରବକ୍ତା କହିଲା ଭଳି ସେମାନଙ୍କର କିଛି କାର୍ଯ୍ୟସୂଚୀ ଅଛି । ତାହାର କିଛି ଦିନ ପରେ ଏନ୍.ଡି.ଟି.ଭି ଉପରେ ଚଢ଼ାଉ ହେଲା ।

ଗଣମାଧ୍ୟମଗୁଡ଼ିକର କର୍ପୋରେଟ ମାଲିକମାନଙ୍କ ଉପରେ ଚାପ ପକାଇବା ବ୍ୟତିରେକ, ଏହି ସରକାର ବ୍ୟକ୍ତିଗତ ଭାବେ ସାମ୍ବାଦିକମାନଙ୍କର ମନରେ ଭୟ ସଂଚାର ମଧ୍ୟ କରିଛନ୍ତି । ଚଢ଼ାଉର ଦିନକ ପରେ ଏନ୍.ଡି.ଟି.ଭି. ଇଣ୍ଡିଆର ରବିଶ କୁମାର ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମରେ ଯେମିତି ଉପସ୍ଥାପନ କରିଥିଲେ, ଦେଶରେ ଜାତୀୟ ରାଜଧାନୀରେ ଏବଂ ଅନ୍ୟତ୍ର ସାମ୍ବାଦିକମାନେ ମନେ କରୁଛନ୍ତି ଯେ ସେମାନଙ୍କ ଉପରେ ନଜର ରଖାଯାଉଛି । ସେମାନେ ଭୟରେ ଅଛନ୍ତି । ଯଦି ସେମାନେ ସମାଲୋଚକ ଶ୍ରେଣୀର ଜଣାପଡ଼ୁଛନ୍ତି ତେବେ ସେମାନଙ୍କୁ ସମ୍ବଳର ସୁଯୋଗ ଦିଆଯାଉନାହିଁ ଯାହାକି ଅତି ଗୁରୁତ୍ୱପୂର୍ଣ୍ଣ, ସରକାରଙ୍କର କାର୍ଯ୍ୟକଳାପକୁ ଦେଖିବାକୁ ଯଦି ହୁଏ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ରାଜଧାନୀମାନଙ୍କରେ କ୍ଷମତାର ଅଳିନ୍ଦରେ ବି ଭୟର ବାତାବରଣ । ଏଭଳି ଉପାୟ ଅବଲମ୍ବନ କରି ଗଣମାଧ୍ୟମକୁ ଚୁପ୍ କରାଇବା ସିଧାସଳଖ କଟକଣା ଜାରି କରିବା ଭଳି ଫଳପ୍ରଦ ।

ଏପରି ଏକ ସ୍ଥିତିକୁ ନେଇ ଆଶା କରାଯାଉଥିଲା ଯେ ସରକାରଙ୍କ ଏନ୍.ଡି.ଟି.ଭି ପ୍ରତି ଆକ୍ରୋଶକୁ ନେଇ ପ୍ରବଳ ପ୍ରତିକ୍ରିୟା ହେବ । ସରକାରଙ୍କ କାର୍ଯ୍ୟସୂଚୀକୁ ଜାଣି ପାରୁଥିବା ଲୋକମାନଙ୍କ ଭିତରେ ବି କିଛି ସଂହତି ନାହିଁ । କାଳେ ସେମାନଙ୍କ ଉପରେ ପରବର୍ତ୍ତୀ ଆକ୍ରମଣଟି ହେବ ଏଭଳି ଆଶଙ୍କା କରି ଅଳ୍ପ କିଛି ଗଣମାଧ୍ୟମ ବ୍ୟତୀତ କେହି ଏନ୍.ଡି.ଟି.ଭି. ପଛରେ ଛିଡ଼ା ହୋଇନାହାନ୍ତି । ଏଡିଟରସ ଗିଲ୍ଡ଼୍ ଭଳି ପେଷାଦାର ସଂସ୍ଥା ସମର୍ଥନରେ ଆସିବା ଛଡ଼ା ଅନ୍ୟ କାହାକୁ ଦେଖାଯାଇ ନାହିଁ । ଏମିତିକି ସରକାରଙ୍କ ଏନ୍.ଡି.ଟି.ଭି. କାର୍ଯ୍ୟାନୁଷ୍ଠାନର କାରଣକୁ ବୁଝି ପାରୁଥିବା ଗଣମାଧ୍ୟମ ବାହାରର ଲୋକମାନେ ମଧ୍ୟ ପୂର୍ଣ୍ଣ ସମର୍ଥନ କରିବା ପାଇଁ ପଛେଇଛନ୍ତି କାରଣ ଅତୀତରେ ଅନ୍ୟମାନଙ୍କ ଉପରେ ଏତାଦୃଶ କାର୍ଯ୍ୟାନୁଷ୍ଠାନ ବେଳେ ଏହି ଚ୍ୟାନେଲ ସେମାନଙ୍କୁ ସମର୍ଥନ କରିନଥିଲା । ଗୋଟିଏ କଥା ସମସ୍ତେ ବୁଝି ପାରୁଛନ୍ତି ଯେ ବଡ଼ ସହରର ଟିଭି ଚ୍ୟାନେଲମାନେ ଯେଉଁ ଧ୍ୟାନ ଆକର୍ଷଣ କରୁଛନ୍ତି, ତାଙ୍କ ଭଳି ଅନୁରୂପ ଅବସ୍ଥାରେ ଥିବା ସ୍ଥାନୀୟ ଖବରକାଗଜ ଏବଂ ପତ୍ରିକାଗୁଡ଼ିକୁ ସେଭଳି ସମର୍ଥନ ମିଳୁନାହିଁ । ଉଦାହରଣସ୍ୱରୂପ ଜମ୍ମୁ ଓ କାଶ୍ମୀର ଏବଂ ଉତର ପୂର୍ବାଂଚଳ ରାଜ୍ୟଗୁଡ଼ିକରେ ସରକାରଙ୍କ ଥିବା କ୍ଷମତାଶାଳୀମାନଙ୍କର ଭୁଲ୍ କାର୍ଯ୍ୟକଳାପଗୁଡ଼ିକ ଅନୁସନ୍ଧାନ କରୁଥିବା ସାମ୍ବାଦିକମାନଙ୍କୁ ସରକାର ଯେତେବେଳେ ବାଛି କରି କାର୍ଯ୍ୟାନୁଷ୍ଠାନ ନିଅନ୍ତି ତାଙ୍କ ପଛରେ କେହି ନଥାଏ । ସେମାନେ ମାଡ଼ ଖାଆନ୍ତି ଏବଂ ଏମିତିକି ହତ୍ୟାର ଶିକାର ହୁଅନ୍ତି । ଭାରତରେ ଗଣମାଧ୍ୟମ ଏକ ବିଭାଜିତ ଘର ଏବଂ ଏହି ବିଭାଜନ ହିଁ କ୍ଷମତାଶୀଳମାନଙ୍କୁ ଅସ୍ତ୍ରଟିଏ ଦେଇଥାଏ ସେମାନଙ୍କ ଭିତରୁ କେମିତି କାହାରକୁ ଧରି ନିଜର ପ୍ରଚାର ଯନ୍ତ୍ରଟି ଚଳାଇ ରଖିବେ । ଆମେ ଏବେ ଯାହା ଦେଖୁଛେ ତାହା ଏଭଳି ଏକ ଖେଳର ପୁନରାବୃତ୍ତି ମାତ୍ର ।

ଏନ୍.ଡି.ଟି.ଭି. ଉପରେ ସି.ବି.ଆଇ ଚଢ଼ାଉ ପରେ କିଛି ଲୋକ ତାଙ୍କୁ ୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ହେଇଥିବା ଜରୁରୀକାଳୀନ ପରିସ୍ଥିତି ବେଳର ପ୍ରେସ୍ ଉପରେ ଜାରି ହେଇଥିବା ସମ୍ପୂର୍ଣ୍ଣ କଟକଣା ସହ ତୁଳନା କରିଛନ୍ତି । ଯଦିଓ ଏବେକାର ପରିସ୍ଥିତି ଭିନ୍ନ, ଭାଜପା ସେତେବେଳର ପରିସ୍ଥିତିରୁ ଶିଖିବା ଦରକାର । କଟକଣା ଜାରି କରି ଇନ୍ଦିରା ଗାନ୍ଧୀ ତା’ର ଏକ ରାଜନୈତିକ ମୂଲ୍ୟ ଦେଇଥିଲେ । ସେ କଟକଣାରେ କାମ କରୁଥିବା ଗଣମାଧ୍ୟମକୁ ବିଶ୍ୱାସ କଲେ ଏବଂ ତାଙ୍କ ନୀତି ଦ୍ୱାରା ଦୁଃସ୍ଥତା ଦେଇ ଯାଉଥିବା ଗରିବ ଲୋକମାନଙ୍କର ସ୍ଥିତି ପ୍ରତି ଆଖି ବନ୍ଦ କରିଦେଲେ । ସେ ମଧ୍ୟ ଗୋଇନ୍ଦା ସଂସ୍ଥାମାନଙ୍କୁ ବିଶ୍ୱାସ କଲେ ଯେ ମାର୍ଚ୍ଚ ୧୯୭୭ରେ ନିର୍ବାଚନ ହେଲେ ତାଙ୍କର ବିଜୟ ହେବ, ଯେହେତୁ ଲୋକେ ତାଙ୍କ ନୀତିକୁ ସମର୍ଥନ କରୁଛନ୍ତି । ସେହି ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କର ଶୋଚନୀୟ ପରାଜୟ ଘଟିଥିଲା । ଗରିବଲୋକେ ତାଙ୍କ ବିରୁଦ୍ଧରେ ଭୋଟ ଦେଲେ । ଜନତାପାର୍ଟିର ଅଂଶ ହିସାବରେ ଭାଜପା (ସେତେବେଳର ଜନସଂଘ) କେନ୍ଦ୍ରରେ ପାଦ ରଖିବା ପାଇଁ ସ୍ଥାନଟିଏ ପାଇଲା ।

ଇତିହାସ ବେଳେବେଳେ ପୁରା ଗୋଲେଇଟିକୁ ଅତିକ୍ରମ କରି ସେହି ସ୍ଥାନଟିକୁ ଫେରି ଆସେ । କୌତୁକର କଥା ଯେ, ଇନ୍ଦିରା ଗାନ୍ଧୀଙ୍କ ଭଳି ଆଜି ଭାଜପା ବୋଲକରା ଗଣମାଧ୍ୟମରେ ବିଶ୍ୱାସ ରଖି ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ନୀରବ କରାଇବା ପାଇଁ ଉଦ୍ୟମ କରୁଛନ୍ତି । ଇତିହାସରୁ ଯାହା ଶିକ୍ଷା ମିଳେ ଏଥିପାଇଁ ଏକ ରାଜନୈତିକ ମୂଲ୍ୟ ଦେବାକୁ ପଡ଼େ । ଭାଜପାଶାସିତ ରାଜ୍ୟମାନଙ୍କର ଯେଉଁଭଳି କୃଷକ ଆନ୍ଦୋଳନ ଗୋଟିଏ ପରେ ଗୋଟିଏ ବଢ଼ି ଚାଲିଛି ତାହା ଚିତ୍ରିତ କରୁଛି କେମିତି ଶାସକମାନଙ୍କୁ ଅନ୍ଧ କରାଇବା ପାଇଁ ଗୋଟିଏ ବୋଲକରା ଗଣମାଧ୍ୟମ କାମ କରୁଛି ।

Back to Top