ISSN (Print) - 0012-9976 | ISSN (Online) - 2349-8846

ମେ ଦିବସର ସ୍ମରଣେ

ଆମେ ହେ’ ମାର୍କେଟ ସହିଦମାନଙ୍କୁ ସମ୍ମାନିତ କରିବା ଏବଂ ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ଶ୍ରେଣୀର ସଂହତିର ପୁନଃରୁତ୍ଥାନ ପାଇଁ ସହଯୋଗ କରି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ପୁଞ୍ଜିବାଦୀ ଶାସକଶ୍ରେଣୀ ୪ଦଶନ୍ଧି ଧରି ବିଶ୍ୱବ୍ୟାପୀ ଯେଉଁ ଆକ୍ରମଣ ଚଳାଇ ଆସିଛନ୍ତି ତାହାର ଚାପରେ ଶ୍ରମିକଶ୍ରେଣୀ ନିଜର ଲଢ଼ୁଆ ଅତୀତକୁ ଚାପିଦେଇ ଚାଲିଛନ୍ତି । ନହେଲେ ଶ୍ରମିକଶ୍ରେଣୀ କେମିତି ମେ ଦିବସର ଜନ୍ମର ପୃଷ୍ଠଭୂମିଟିକୁ ଭୁଲି ଯାଆନ୍ତେ? ଏହା ବି ହୋଇପାରେ ଯେ ଏହିସବୁ ସଂଘର୍ଷପୂର୍ଣ୍ଣ ବର୍ଷଗୁଡ଼ିକରେ ସେହି ଇତିହାସଟିକୁ ଶ୍ରମିକ ଆନ୍ଦୋଳନମାନଙ୍କରେ କୁହାଯାଇ ନାହିଁ । ନିଜର ଉଗ୍ର ଅତୀତକୁ ଶ୍ରମିକମାନେ ଚପାଇ ରଖିବା ଏଭଳି ଏକ ସମୟରେ ଚାଲିଛି ଯେତେବେଳେ କି ତଳସ୍ତରରୁ ଆରମ୍ଭ ହୋଇଥିବା ଶ୍ରମିକଶ୍ରେଣୀର ପ୍ରତିରୋଧର ସଂସ୍କୃତିଟିକୁ ପୁଣିଥରେ ଜୀବନ୍ୟାସ ଦେବାର ଆବଶ୍ୟକତା ବେଶୀ ଅନୁଭୂତ ହେଉଛି । ଊନବିଂଶ ଶତାବ୍ଦୀର ଶେଷଭାଗରେ ବି ‘ଯେଉଁ କଥାଟି ନିଯୁକ୍ତି ପାଇବାରୁ ଅଧିକ ଖରାପ ମଣା ଯାଉଥିଲା, ତାହା ଥିଲା ନିଯୁକ୍ତି ନପାଇବା ।’ ଏବଂ ପୁଞ୍ଜି ପାଇଁ ଆଜି ଯେମିତି ଅଛି ଆଗରୁ ସେଭଳି ହିଁ ଥିଲା -ଶ୍ରମ କେବଳ ମାତ୍ର ଉତ୍ପାଦନର ଏକ ମୂଲ୍ୟ । କିନ୍ତୁ ଶ୍ରମିକମାନେ ସାହସ ବାନ୍ଧି ନିଜ ଅଧିକାର ପାଇଁ ଲଢ଼େଇ କଲେ । ସେ ଭିତରେ ଥିଲା ୮ଘଂଟିଆ କାର୍ଯ୍ୟ ଦିବସ।

ମେ ୧, ୧୮୮୬, ପ୍ରଥମ ମେ ଦିବସ ଦିନ ଉତ୍ତର ଆମେରିକାର ହଜାର ହଜାର ଶ୍ରମିକ ସଙ୍ଗଠିତ ହୋଇ ଧର୍ମଘଟ କଲେ ଆଠଘଣ୍ଟିଆ କାର୍ଯ୍ୟ ଦିବସ ପାଇଁ । ସେତେବେଳେ ଚିକାଗୋ ସହର ଶ୍ରମିକ ଶ୍ରେଣୀ ସଙ୍ଗଠନମାନଙ୍କ ପେଣ୍ଠସ୍ଥଳୀ ଥିଲା, ଶ୍ରମିକ ଆନ୍ଦୋଳନରେ ବାମପନ୍ଥୀମାନଙ୍କର କେନ୍ଦ୍ର, ଯାହାର ଆଗରେ ଥିଲେ ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ସଂଘ ବା ୱାର୍କିଂ ପିପୁଲସ୍ ଆସୋସିଏସନ୍ । ଯେମିତି ଆଶା କରାଯାଉଥିଲା ଶ୍ରମିକ ଆନ୍ଦୋଳନକୁ ପୁଞ୍ଜିପତି ଶ୍ରେଣୀର ସଙ୍ଗଠିତ ବିରୋଧର ସାମ୍ନା କରିବାକୁ ପଡ଼ିଲା । ଏହି ପୁଞ୍ଜିପତି ଶ୍ରେଣୀ ପଛରେ ଥିଲେ ବ୍ୟବସାୟିକ ଗଣମାଧ୍ୟମ ଏବଂ ନିଷ୍ଠୁରତା ପାଇଁ ପରିଚିତ ପୋଲିସ । ମେ ୧, ୧୮୮୬ରେ ଚିକାଗୋର ହେ’ ମାର୍କେଟ ଛକରେ ବୋମା ବିସ୍ଫୋରଣ କରିଛନ୍ତି କହି ୪ଜଣ ଶ୍ରମିକଙ୍କୁ ମିଛ ମକଦ୍ଦମାରେ ଫସାଇ ଦିଆଗଲା, ଅନ୍ୟାୟ କରି ଦୋଷୀ ସାବ୍ୟସ୍ତ କରାଗଲା ଏବଂ ମୃତ୍ୟୁଦଣ୍ଡ ଦିଆଗଲା । ସେମାନଙ୍କ ଭିତରେ ଥିଲେ ଅରାଜକତାବାଦୀ ଅଗଷ୍ଟ ସ୍ପାଇ ଏବଂ ଆଲବଟ୍ ପାରସନ୍ସ, ଯେଉଁମାନଙ୍କର ‘ଏକମାତ୍ର’ ଅପରାଧ ହେଲା ଯେ ସେମାନେ ଉଗ୍ର ଶ୍ରମିକ ଯୋଦ୍ଧା ଥିଲେ ଯେଉଁମାନେ ଆଠଘଂଟିଆ କାର୍ଯ୍ୟଦିବସ ସମେତ ଶ୍ରମିକମାନଙ୍କ ଅଧିକାର ପାଇଁ ନିରବଚ୍ଛିନ୍ନ ଭାବେ ସଂଘର୍ଷ କରିଆସିଥିଲେ ।

ଯଦିଓ ଆଠଘଂଟିଆ କାର୍ଯ୍ୟଦିବସ ଅନେକ ରାଜ୍ୟର କାନୁନ୍ରେ ଥିଲା ପୁଞ୍ଜିପତିମାନେ ତାକୁ କାର୍ଯ୍ୟକାରୀ କରିବା ପାଇଁ ବିରୋଧ କରୁଥିଲେ ଏବଂ ଆଇନ ରକ୍ଷକ ଓ ବିଚାରକମାନେ ଆଇନ ଉଲ୍ଲଂଘନ କଥାଟିକୁ ଅଣଦେଖା କରିଆସିଥିଲେ । ଶ୍ରମିକମାନଙ୍କ ପାଖରେ ମେ ୧ରୁ ଧର୍ମଘଟ ଆରମ୍ଭ କରିବା ବ୍ୟତିରେକ ଅନ୍ୟ କିଛି ବିକଳ୍ପ ନଥିଲା । ବିଚାରବେଳେ ସରକାରୀ ଓକିଲ କହିଲେ, ‘ଆଇନର ପରୀକ୍ଷା ଚାଲିଛି, ଅରାଜକତାର ପରୀକ୍ଷା ଚାଲିଛି ଏହି ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତୁ, ସେମାନେ ଉଦାହରଣ ହେଇ ରୁହନ୍ତୁ, ସେମାନଙ୍କୁ ଫାଶୀରେ ଚଢ଼ାଯାଉ ଏବଂ ଆପଣ ଆମର ଅନୁଷ୍ଠାନଗୁଡ଼ିକୁ, ଆମ ସମାଜକୁ ବଂଚାନ୍ତୁ ।’ କିନ୍ତୁ ସ୍ପାଇଙ୍କର ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପୂର୍ବରୁ ସେ ତାଗିଦ କରି କହିଥିଲେ, ‘ତମେ ଯଦି ଭାବୁଛ ଆମକୁ ଫାଶୀଦେଇ ତମେ ଶ୍ରମିକ ଆନ୍ଦୋଳନର ସମାପ୍ତି କରିବ, ଯେଉଁ ଆନ୍ଦୋଳନ ଅଭାବ ଏବଂ ଦୁର୍ଦ୍ଦଶାରୁ ମୁକ୍ତି ଦେବ ବୋଲି ଲକ୍ଷ ଲକ୍ଷ ନିଷ୍ପେଷିତ ଲୋକେ ଆଶା ବାନ୍ଧି ଅପେକ୍ଷା କରିଛନ୍ତି... ଯଦି ଏହା ହେଉଛି ତୁମର ମତ ତେବେ ଆମକୁ ଫାଶୀ ଦିଅ । ତୁମେ ଏଠି ଅଗ୍ନିଶିଖାଟିଏ ଲଗାଇ ଦେବ, କିନ୍ତୁ ଏଇଠି ଓ ସେଇଠି, ତୁମ ପଛରେ ଏବଂ ଆଗରେ ଏବଂ ସବୁଠି, ସେହି ଅଗ୍ନି ପ୍ରଜ୍ୱଳିତ ହେବ । ଏଇଟା ଗୋଟିଏ ଭୂମିଗତ ନିଅାଁ, ତୁମେ ତାକୁ ନିର୍ବାପିତ କରିପାରିବ ନାହିଁ ।

ସେତେବେଳେ ଚିକାଗୋ ଶ୍ରମିକ ଶ୍ରେଣୀର ପ୍ରତିଭାବାନ ନେତୃତ୍ୱ ଥିଲେ । ସ୍ପାଇଙ୍କ ଦ୍ୱାରା ସମ୍ପାଦିତ ଜର୍ମାନୀ ଦୈନିକ ଆରବେଇଟିର - ଜିତୁଙ୍ଗ ଭଳି ସକ୍ରିୟ ବାମପନ୍ଥୀ ପ୍ରେସ୍ ମଧ୍ୟ ଥିଲା । ଟଙ୍କା ଥଳି ଧରି ବୁଲୁଥିବା ଲୋକେ ଶ୍ରମିକମାନଙ୍କୁ ଏକ ‘ଭୟଙ୍କର ଶ୍ରେଣୀ’ ବୋଲି ସମ୍ବୋଧନ କରୁଥିଲେ । ଦୁଃଖର କଥା ଆଜି ଆମେରିକାର ଶ୍ରମିକମାନେ ଅଧିକାଂଶରେ ଏକ ଅଣସଙ୍ଗଠିତ ଶ୍ରେଣୀ । ସତରେ ରଷ୍ଟ୍ବେଲେଟ୍ ପ୍ରଦେଶ (ଅର୍ଥନୈତିକ ଅବକ୍ଷୟ, ଜନସଂଖ୍ୟା ହ୍ରାସ, ସହର ବିଲୟ ଶିଳ୍ପର ପତନ ଯୋଗୁଁ) ହିସାବରେ ପରିଚିତ, ଆଇୱା, ମିଚିଗାନ୍, ଓହିଓ, ପେନ୍ସିଲଭାନିଆ ଏବଂ ୱିସ୍କନସିନ୍ ରାଷ୍ଟ୍ରପତି ଡୋନାଲଡ଼୍ ଟ୍ରମ୍ପଙ୍କୁ ଜିତେଇବାରେ ସହାୟକ ହେଇଥିଲେ ବୋଲି କୁହାଯାଉଛି । ଏହି ଟ୍ରମ୍ପ ବର୍ଣ୍ଣବାଦୀ, ବିଦେଶୀମାନଙ୍କ ପ୍ରତି ବିଦ୍ୱେଷ, ଜାତୀୟତାବାଦୀ, ଆମେରିକୀୟ ହିତର ସୁରକ୍ଷାବାଦୀର ଚର୍ଚ୍ଚା ପାଇଁ ପରିଚିତ ଓ ‘ପୁଣିଥରେ ଆମେରିକାକୁ ମହାନ କରିବା’ ଆହ୍ୱାନ ଦେଇ ନିର୍ବାଚନ ଜିତିଥିଲେ । ଟ୍ରମ୍ପଙ୍କ ଅଭ୍ୟୁଦୟ ସହ ତାଳ ଦେଇ ଅନ୍ୟତ୍ର ମଧ୍ୟ ସମାନ ଶକ୍ତିମାନଙ୍କର ଉତ୍ଥାନ ଘଟିଛି; ଫ୍ରାନ୍ସରେ ନ୍ୟାସନାଲ ଫ୍ରଂଟ୍, ବ୍ରେକ୍ଜିଟ୍ ଅଭିଯାନର ନେତୃତ୍ୱ ନେଉଥିବା ଇଂଲଣ୍ଡର ଇଣ୍ଡିପେଣ୍ଡେନ୍ସ ପାର୍ଟି, ଇଟାଲୀର ଫାଇଭ୍ଷ୍ଟାର୍ ଆନ୍ଦୋଳନ ଏବଂ ଜର୍ମାଟ୍ର ପେଡ଼ିଗା । ତା ସହିତ ଅଛି ଜର୍ମାନୀରେ ଶରଣାର୍ଥୀ ବିରୋଧୀ ଅଭିଯାନ ଚଳାଇଥିବା ଅଲଟର୍ନେଟିଭ୍ ଫର୍ ଜର୍ମାନୀ ।

ଭାରତରେ ନରେନ୍ଦ୍ର ମୋଦୀଙ୍କ ‘ଭାରତରେ ପ୍ରସ୍ତୁତ’ ବା ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ସଫଳତା ଯେଉଁ କଥାଟି ଉପରେ ଆଧାରିତ ତାହା ହେଉଛି ସ୍ଥାୟୀ ଶ୍ରମିକମାନେ ଏକା କାମ ପାଇଁ ଯେଉଁ ପାରିଶ୍ରମିକ ପାଆନ୍ତି ତାହାର ୫ଭାଗରୁ ମାତ୍ର ୧ରୁ ୩ଭାଗ ପାଉଣାରେ ଠିକା ବା ଅସ୍ଥାୟୀ ଶ୍ରମିକ ନିଯୁକ୍ତ କରିବା, ଯେଉଁମାନଙ୍କର ନିଯୁକ୍ତିର କୌଣସି ନିରାପତା ବା ସୁରକ୍ଷା ନଥିବ ଏବଂ ପୁଣି ସେମାନଙ୍କର ସ୍ୱାଧୀନ ଶ୍ରମିକ ସଂଘ କାମ କରିବା ପାଇଁ ସୁଯୋଗ ଦିଆଯିବ; ମାଲିକମାନଙ୍କ କାଠ ପିତୁଳି ଯଦି ସାଜନ୍ତି । ପୋଲିସ ଅଧିକାରୀମାନେ କମ୍ପାନୀ ଅଧିକାରୀଙ୍କ ସହ ହାତ ମିଳାଇ କାମ କରନ୍ତି ଯାହାର ନମୂନା ହରିୟାନାର ମାନେଶ୍ୱର ଠାରେ ଥିବା ମାରୁତି-ସୁଜୁକି କାରଖାନାରେ ଦେଖିବାକୁ ମିଳିଥିଲା । ଭାରତର ଶ୍ରମ ଆଇନରେ ଥିବା ଶ୍ରମିକମାନଙ୍କ ଅଧିକାର ପାଇବା ପାଇଁ ଯେତେବେଳେ ଶ୍ରମିକମାନେ ଦାବୀ କରନ୍ତି, ଏମାନେ ଏମିତି ହାତ ମିଳାଇ ସେମାନଙ୍କୁ କଠୋର ଭାବେ ଦମନ କରନ୍ତି । ଜଣେ ନିଯୁକ୍ତିଦାତା ହିସାବରେ ସରକାର ନିଜେ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି ୧୦ଲକ୍ଷରୁ ଅଧିକ ଲୋକ ନିୟମିତ ଶ୍ରମିକ ଭାବେ ସାମ୍ନାରେ ରହି ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଆସୁଛନ୍ତି । ଅଙ୍ଗନୱାଡ଼ି କର୍ମୀ, ସର୍ବଶିକ୍ଷା ଅଭିଯାନର ପାରା ଶିକ୍ଷକ ଏବଂ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ ଯେଉଁମାନେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନରେ କାମ କରନ୍ତି କାହାର ବି କର୍ମଚାରୀର ଅଧିକାର ନାହିଁ । ଦୁଃଖର କଥା ଯେ ନୌରାଶ୍ୟଜନକ ଭାବେ ବିଭାଜିତ ଆମ ଶ୍ରମିକ ସଙ୍ଗଠନମାନେ ସମୟର ଆହ୍ୱାନ ସତ୍ୱେ ଏକାଠି ହୋଇପାରୁ ନାହାନ୍ତି, ଯଦ୍ୱାରା ଶ୍ରମିକ ଶ୍ରେଣୀର ପୁନଃରୁତ୍ଥାନ ହୋଇ ସାମୟିକ ନିଯୁକ୍ତି ଓ ଠିକା ନିଯୁକ୍ତି, କମ୍ ମଜୁରୀ, ଦର୍ଘ ସମୟ ଧରି ଶ୍ରମ ଦେବାର ଅବଧି ଏବଂ କାର୍ଯ୍ୟସ୍ଥଳୀଗୁଡ଼ିକରେ ଝାଳନାଳ ହୋଇ କାମ କରିବାର ଅବସ୍ଥା ବିରୁଦ୍ଧରେ ସଙ୍ଗଠିତ ଆନ୍ଦୋଳନ ହୋଇପାରନ୍ତା ।

ଏମିତିକି ଅଧିକାଂଶ ଶ୍ରମିକ ସଙ୍ଗଠନ ପାଇଁ ଅତୀତର ସଂଘର୍ଷଗୁଡ଼ିକୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ମେ ଦିବସଟି ଗୋଟିଏ ଦିବସ ହିସାବରେ ବିଚାର କରାଯାଏନି, ଭବିଷ୍ୟତରେ ପୁଞ୍ଜିବାଦ ବିରୁଦ୍ଧରେ ଲଢ଼େଇ ପାଇଁ ଏକ ସଙ୍କେତ ହିସାବରେ ମାନିବା ତ ଦୂରର କଥା! ହୁଏତ ଆମେ ୧୮୮୦ ଦଶକରେ ଚିକାଗୋ ସହରରେ ୮ଘଂଟିଆ କାର୍ଯ୍ୟଦିବସ ପାଇଁ ଆହ୍ୱାନ ଦେଇ ଯେଉଁ ଗୀତ ଶ୍ରମିକମାନେ ଗାଇ ଚାଲିଥିଲେ ତାକୁ ମନେ ପକାଇଦେବା ଦରକାର । ଗୀତର ଧାଡ଼ିଗୁଡ଼ିକ ଏମିତି କିଛି ଥିଲା :-

ଆମେ ସୂର୍ଯ୍ୟର ଉଷ୍ମତାକୁ ଅନୁଭବ କରିବା ପାଇଁ ଚାହୁଁ,

ଆମେ ଚାହୁଁ ଫୁଲର ସୁରଭିକୁ ଆଘ୍ରାଣ କରିବାକୁ;

ଆମେ ନିଶ୍ଚିତ ଈଶ୍ୱରଙ୍କ ଏହା ହିଁ ଇଚ୍ଛା,

ଏବଂ ସେଥିପାଇଁ ଆମେ ଚାହୁଁ ଆଠଟି ଘଂଟା,

ଡାକରା ଦେଇଛୁ ଆସିବେ ଆମ ସେନା,

ଅଛନ୍ତି ଯେଉଁମାନେ ପୋତ ପ୍ରାଙ୍ଗଣରେ,

ଦୋକାନ ଓ କାରଖାନାରେ,

ଶ୍ରମ ପାଇଁ ଆଠ ଘଂଟା, ବିଶ୍ରାମ ପାଇଁ ଆଠ ଘଂଟା,

ଏବଂ ବାକି ଆଠ ଘଂଟା

ଆମେ ବିତାଇବୁ ଆମରି ଇଚ୍ଛାରେ ।

Back to Top