ISSN (Print) - 0012-9976 | ISSN (Online) - 2349-8846

ସ୍ୱାସ୍ଥ୍ୟ ସେବାର ଅଧିକାର

ସ୍ୱାସ୍ଥ୍ୟ ସେବାର ଅଧିକାରକୁ ସ୍ୱୀକାର କରିବା ପାଇଁ ଭାରତ ଆଉ ଅପେକ୍ଷା କରିପାରିବ ନାହିଁ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଜାତୀୟ ସ୍ୱାସ୍ଥ୍ୟ ନୀତି ପ୍ରାଥମିକ ଭାବେ ଅଭିପ୍ରାୟକୁ ନେଇ ଗୋଟିଏ ବକ୍ତବ୍ୟ । ଏକଥାଟିକୁ ୨୦୧୭ ମସିହାର ଜାତୀୟ ସ୍ୱାସ୍ଥ୍ୟ ନୀତି ସାବ୍ୟସ୍ତ କରିଛି । ଏତିକି କଲାବେଳେ ବି ଏବଂ ତାକୁ କାର୍ଯ୍ୟରେ ରୂପାୟନ କରିବା ପାଇଁ ଢାଂଚାଟିଏ ପ୍ରସ୍ତୁତ କଲାବେଳେ ଅନେକ ଦିଗରୁ ଏହି ନୀତିରେ ଅଭାବ ଦେଖାଯାଉଛି । ଯେଉଁ କଥାଟି ବିଭ୍ରାନ୍ତ କରୁଛି ତାହା ହେଉଛି ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କର ମାତ୍ରାଧିକ ଭୂମିକା ।

ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହେଇଥିବା ଆଲ୍ମା ଆଟ୍ଟା ଘୋଷଣାନାମା ପରେ ଭାରତ ପ୍ରଥମଥର ପାଇଁ ୧୯୮୩ ମସିହାରେ ଜାତୀୟ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ କରିଥିଲା, ଯାହାର ପରବର୍ତୀ ସ୍ୱାସ୍ଥ୍ୟ ନୀତିଟି ୨୦୦୨ ମସିହାରେ ଗ୍ରହଣ କରାଯାଇଥିଲା । ଯଦିଓ ବିଶେଷକରି ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପ୍ରତିଷ୍ଠା ୨୦୦୫ରେ ହେବା ପରଠାରୁ ମୃତ୍ୟୁହାର, ପରମାୟୁ ଏବଂ ରୋଗ ପ୍ରଚଳନ ହାର ଭଳି ସ୍ୱାସ୍ଥ୍ୟ ସୂଚକାଙ୍କ ଗୁଡ଼ିକରେ ଉନ୍ନତି ଆସିଛି, ତେବେ ସେସବୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟଗୁଡ଼ିକର ପହଂଚ ବାହାରେ । ଆଶାନୁରୂପକ, ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ କେବଳ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଦିନଗୁଡ଼ିକୁ ବଢ଼େଇ ଦେଇଛନ୍ତି ।

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତରେ ବଜେଟ୍ରେ ଯାହା ପ୍ରାବଧାନ କରାଯାଇଛି ବିଶ୍ୱରେ ତାହା ସର୍ବନିମ୍ନ ମୂଳ ଘରୋଇ ଉତ୍ପାଦନର ଶତକଡ଼ା ୧.୩ ଭାଗ । ଏଥିରୁ ଆମକୁ ବିଶ୍ୱାସ କଲାଭଳି କୌଣସି ପ୍ରେରଣା ମିଳୁନାହିଁ ଯେ ସ୍ୱାସ୍ଥ୍ୟକ୍ଷେତ୍ରରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟଗୁଡ଼ିକୁ ନିକଟରେ ପୂରଣ କରାଯାଇପାରିବ । ୧୫ବର୍ଷ ପରେ ଆସିଥିବା ଏବଂ ନିକଟରେ କ୍ୟାବିନେଟ୍ ମଞ୍ଜୁରି ପାଇଥିବା ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ ଲକ୍ଷ୍ୟ ରଖିଛି ଯେ, ୨୦୨୫ ସୁଦ୍ଧା ଏହି ଖର୍ଚ୍ଚ ଭାଗଟି ଶତକଡ଼ା ୨୫ରେ ପହଂଚିଯିବ । ରାଜ୍ୟମାନେ ୨୦୨୦ ସୁଦ୍ଧା ନିଜ ବଜେଟର ଶତକଡ଼ା ୮ଭାଗ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରିବେ । ଏହି ସ୍ୱାସ୍ଥ୍ୟ ନୀତିଟି ଯୁକ୍ତି ରଖିଛି ଯେ ସ୍ୱାସ୍ଥ୍ୟ ବଜେଟର ୩ଭାଗରୁ ୨ଭାଗ ବା ତାହାଠାରୁ ଅଧିକ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବଂ ଅବଶିଷ୍ଟ ମାଧ୍ୟମିକ ଏବଂ ତା’ପର ସ୍ତରର ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ କରାଯାଉ । ଜାତୀୟ ସ୍ୱାସ୍ଥ୍ୟ ନୀତି କହିବା ମୁତାବକ ପ୍ରାଥମିକ ସ୍ତରରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାବେଳେ, ମାଧ୍ୟମିକ ଓ ତା’ପର ସ୍ତରରେ ସରକାରୀ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ମିଳିବା ସହ ଘରୋଇ ସ୍ୱାସ୍ଥ୍ୟ ସେବା କିଣା ଯାଇପାରିବ । ଯଦିଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ସାମଗ୍ରିକ ଭାବେ ଯୋଗାଇଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ତେବେ ସ୍ୱାସ୍ଥ୍ୟ ପାଇଁ ଅର୍ଥ ପ୍ରାବଧାନ ଯଦି ଶତକଡ଼ା ୨.୫ ଭାଗ ରହେ, ତେବେ ତାହା ଯଥେଷ୍ଟ ନୁହେଁ । ଅନ୍ୟାନ୍ୟ ବିକାଶୋନ୍ମୁଖିରେ ଦେଶଗୁଡ଼ିକ ଅପେକ୍ଷା ଆମେ କମ୍ ଖର୍ଚ୍ଚ କରୁଛେ ।

ନୂତନ ସ୍ୱାସ୍ଥ୍ୟନୀତିର ଅନ୍ୟ ଏକ ସକାରାତ୍ମକ ଦିଗ ହେଉଛି ଯେ ସବୁ ରାଜ୍ୟମାନଙ୍କରେ ଜନସ୍ୱାସ୍ଥ୍ୟ ପରିଚାଳନା ପାଇଁ କ୍ୟାଡ଼ର ସୃଷ୍ଟି କରିବା । ଏହି କ୍ୟାଡ଼ରରେ ଭିନ୍ନ ଭିନ୍ନ ପେଷାଦାର ବୃତିର ଲୋକଙ୍କୁ ନିଆଯିବ ଯଥା ସମାଜତତ୍ୱ, ଅର୍ଥଶାସ୍ତ୍ର, ନର୍ସିଂ ସେବା, ଡାକ୍ତରଖାନା ପରିଚାଳନା ଇତ୍ୟାଦି । ଯାହା ପୂର୍ବରୁ ରହିଆସିଥିଲା ଯେ, କେବଳ ସ୍ୱାସ୍ଥ୍ୟକ୍ଷେତ୍ରର ପେଷାଦାରମାନେ ନିଯୁକ୍ତି ପାଇବେ, ତାହା ରହିବ ନାହିଁ । ଆଉ ଗୋଟିଏ ସ୍ୱାଗତଯୋଗ୍ୟ ପ୍ରସ୍ତାବ ହେଉଛି ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଡାକ୍ତରଖାନାଗୁଡ଼ିକୁ ସୁଦୃଢ଼ କରିବା ଏବଂ କେତେକ ଜିଲ୍ଲା ହସପିଟାଲକୁ ଶିକ୍ଷାଦାନ କ୍ଷେତ୍ରରେ ରୂପାନ୍ତରିତ କରିବାର ଯୋଜନା । ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ରଖି, ଜାତୀୟ ସ୍ୱାସ୍ଥ୍ୟନୀତି ଏହି କଥା ମଧ୍ୟ କହୁଛି ଯେ, ଆୟୁଷ ଡାକ୍ତରମାନଙ୍କୁ ମୁଖ୍ୟସ୍ରୋତକୁ ଆଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ମିଶାଇଦେବେ ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ହିସାବରେ । ଅନ୍ୟ ସବୁ ଅର୍ଦ୍ଧ-ଡାକ୍ତରୀ ସେବା ପ୍ରଦାନକାରୀଙ୍କୁ କ୍ଷେତ୍ରରେ ମଧ୍ୟ ଏହା କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବର୍ଦ୍ଧିତ କରି ସେଥିରେ ‘ଭଲରେ ରହିବା’ କଥାଟିକୁ ସାମିଲ କରାଯିବ ଏବଂ ‘ପ୍ରତିରୋଧକ ଓ ମଙ୍ଗଳକାରୀ’ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ରେ ଡାକ୍ତରମାନଙ୍କ ପାଇଁ ଗ୍ରାମାଂଚଳରେ ନିଯୁକ୍ତି ବାଧ୍ୟତାମୂଳକ କରାଯିବା କଥା କୁହାଯାଇଥିବା ବେଳେ, ପାରିବାରିକ ଔଷଧ ଓ ସାଧାରଣ ସ୍ୱାସ୍ଥ୍ୟ ସେବାରେ ଏମ୍.ଡି. ପାଠ୍ୟକ୍ରମ ପାଇଁ ମଧ୍ୟ ପ୍ରାବଧାନ କରାଯାଇଛି । ଏହି ନୀତିଗତ ପରାମର୍ଶଗୁଡ଼ିକ, ଯଦି ନିଷ୍ଠାର ସହ କାର୍ଯ୍ୟକାରୀ କରାଯାଏ, ତେବେ ଗ୍ରାମାଂଚଳରେ ସବୁପ୍ରକାର ସ୍ୱାସ୍ଥ୍ୟ ସେବା ବ୍ୟାପକ ଭାବେ ଯୋଗାଇଦେବା କ୍ଷେତ୍ରରେ ବହୁତ ଉପଯୋଗୀ ହେବ ।

ଯେଉଁ ଗୋଟିଏ ସୁପାରିଶ ଚିନ୍ତାର କାରଣ ହେଉଛି ତାହାହେଲା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସ୍ୱାସ୍ଥ୍ୟ ସେବାର କିଛି ବିଭାଗ ଘରୋଇ ସଂସ୍ଥାକୁ ହାତରେ ଦେଇଦେବା ସହ ଅଧିକ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କର ପ୍ରବେଶ ଏବଂ ସ୍ୱାସ୍ଥ୍ୟ ବୀମା ଓ ସ୍ୱାସ୍ଥ୍ୟସେବାର ‘କୌଶଳଭିତିକ କ୍ରୟ’ । ଯଦିଓ ସାଧାରଣ ଟିକସ ବ୍ୟବସ୍ଥାରୁ ସ୍ୱାସ୍ଥ୍ୟସେବାର ମୂଳ ଅର୍ଥଟି ଆସିବ ତେବେ ରାଷ୍ଟ୍ରାୟତ୍ତ କ୍ଷେତ୍ରରୁ ସ୍ୱାସ୍ଥ୍ୟ ସେବା କିଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି, ଯାହା ପ୍ରଥମେ ସ୍ୱେଚ୍ଛାସେବୀ ସଂସ୍ଥାଙ୍କୁ ଅନ୍ତର୍ଭୁକ୍ତ କରିବ ଏବଂ ପରେ ଘରୋଇ କ୍ଷେତ୍ର ହାତକୁ ଯିବ । ଘରୋଇ କ୍ଷେତ୍ରଟିକୁ ଗ୍ରହଣ କରିହେବ ଯେତେଦିନ ଯାଏଁ ରାଷ୍ଟ୍ରର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଖର୍ଚ୍ଚକାଟ କରିବା ପାଇଁ ଏହା ଏକ ସୁବିଧାଜନକ ବାଟ ହିସାବରେ ଦେଖାନଯାଏ । ଯଦି ଅର୍ଥ ଖର୍ଚ୍ଚ ନକରେ, ସାଧାରଣ ସ୍ୱାସ୍ଥ୍ୟସେବା ଆଗକୁ ଯାଇପାରିବନି ।

ଦୁର୍ଭାଗ୍ୟର କଥା ଯେ, ଶିକ୍ଷା ଅଧିକାର ଓ ଖାଦ୍ୟ ଅଧିକାର ଢାଂଚାରେ ସ୍ୱାସ୍ଥ୍ୟ ସେବାର ଅଧିକାର ଆଣିବା ପାଇଁ ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ର କୌଣସି ପ୍ରତିବଦ୍ଧତା ନାହିଁ । ଜାତୀୟ ସ୍ୱାସ୍ଥ୍ୟ ନୀତିକୁ ନେଇ ୨୦୧୫ ମସିହାରେ ହେଇଥିବା ଚିଠାରେ ଯେଉଁ ଜାତୀୟ ସ୍ୱାସ୍ଥ୍ୟ ଅଧିକାର ଆଇନ କଥା କୁହା ଯାଇଥିଲା ସେ ସମ୍ପର୍କିତ ସମସ୍ତ ତଥ୍ୟ ଓ ଉଲ୍ଲେଖଗୁଡ଼ିକୁ ନୂତନ ସ୍ୱାସ୍ଥ୍ୟ ନୀତିରୁ ହଟେଇ ଦିଆଯାଇଛି । ନୂତନ ନୀତିଟି କେବଳ ଏତିକି କହି ସୀମାରେଖାଟିଏ ଟାଣି ଦେଇଛି ଯେ, ‘ଭବିଷ୍ୟତରେ ସ୍ୱାସ୍ଥ୍ୟସେବାକୁ ଅଧିକାର ହିସାବରେ ପାଇବା ପାଇଁ ଯେଉଁ ଅନୁକୂଳ ପରିବେଶ ଦରକାର ତାକୁ ସୃଷ୍ଟି କରିବା ପାଇଁ ଗୋଟିଏ ‘ପ୍ରଗତିଶୀଳ କିସ୍ତିଭିତିକ ପ୍ରତିଶ୍ରୁତି’ ଆଧାରିତ ଏବଂ ନିଶ୍ଚିତଭାବେ ଅର୍ଥ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ପାଇଁ ନୂତନ ନୀତିରେ ଯୁକ୍ତି ରଖାଯାଇଛି । ମୌଳିକ ସ୍ୱାସ୍ଥ୍ୟ ସେବାର ଭିତିଭୂମି ସର୍ବନିମ୍ନ ସ୍ତରରେ ପହଂଚାଇବା ଜରୁରୀ ଯଦି ସ୍ୱାସ୍ଥ୍ୟ ଅଧିକାରକୁ ନିଶ୍ଚିତ କରାଯିବ, ଏକଥା ମଧ୍ୟ କୁହାଯାଇଛି । ଏଭଳି ଏକ କାରଣ ଯଥେଷ୍ଟ ନୁହେଁ ଏବଂ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଜନଗଣଙ୍କ ମୌଳିକ ଅଧିକାରର ସ୍ଥାନ ନେଇପାରିବ ନାହିଁ । ଯଦି ସ୍ୱାସ୍ଥ୍ୟସେବାଟିକୁ ଗୋଟିଏ ଅଧିକାର ହିସାବରେ ଆମେ ମାନିବା ନାହିଁ ତେବେ ସର୍ବନିମ୍ନ ସ୍ତରରେ ସ୍ୱାସ୍ଥ୍ୟ ଭିତିଭୂମି ଠିଆ କରାଇବା ପାଇଁ ଯେଉଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଅଛି ତାକୁ ଯୋଗାଡ଼ କରିପାରିବା ନାହିଁ ।

ସାଧାରଣ ସ୍ୱାସ୍ଥ୍ୟସେବାରେ କରାଯାଉଥିବା ଖର୍ଚ୍ଚ କ୍ଷେତ୍ରରେ, ନାଗରିକମାନେ ସ୍ୱାସ୍ଥ୍ୟ ସେବା ପାଇପାରିବା କ୍ଷେତ୍ରରେ ଏବଂ ସ୍ୱାସ୍ଥ୍ୟର ସୂଚକାଙ୍କମାନଙ୍କୁ ଦେଖିଲେ ଭାରତ, ଥାଇଲାଣ୍ଡ, ଶ୍ରୀଲଙ୍କା ସମେତ ଅନ୍ୟ ବ୍ରିକ୍ସସଦସ୍ୟ ଦେଶ ଯଥା ବ୍ରାଜିଲ, ରୁଷିଆ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ତୁଳନାରେ ବହୁତ ପଛରେ ଅଛି । ସେମାନେ ଭାରତକୁ ଅତିକ୍ରମ କରି ନିଜର ସ୍ୱାସ୍ଥ୍ୟ ଲକ୍ଷ୍ୟ ପୂରଣ କରିସାରିଛନ୍ତି, ଯେତେବେଳେ କି ଆମେ ଆମର ସ୍ୱାସ୍ଥ୍ୟ ଲକ୍ଷ୍ୟଗୁଡ଼ିକ ହାସଲ କରିବା ଏବଂ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପହଂଚାଇବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରିଆସିଛେ । ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ହାସଲ କରାଯିବା କେତେ ଜରୁରୀ ତାକୁ ବୁଝିବାରେ ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ ବିଫଳ ହେଇଛି । ସ୍ୱାସ୍ଥ୍ୟକୁ ଉଲ୍ଲଂଘନ ନକରିପାରିବା ଭଳି ଏକ ଅଧିକାର ହିସାବରେ ସ୍ୱୀକାର କରିବା ପାଇଁ ଦିଆଯାଇଆସିଥିବା ବଳିଷ୍ଠ ଯୁକ୍ତିକୁ ଅଣଦେଖା କରି ନୂତନ ସ୍ୱାସ୍ଥ୍ୟ ନୀତି ନିଶ୍ଚିତ କରୁଛି ଯେ, ଭାରତ ଏସବୁ ଦେଶମାନଙ୍କ ପଛରେ ହିଁ ରହିବ ।

 

Back to Top